
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ହନୁମାନ ଚାଳିସାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ସେପଟେ ଶାସକ ଦଳର ନେତା ଏବଂ ବିରୋଧୀ ଦଳ ମଧ୍ୟରେ ଏପ୍ରସଙ୍ଗକୁ ନେଇ ବୟାନବାଜି ଥମିବାରେ ନାଁ ନେଉନି । ଏହା ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି । ତେବେ ଯଦି ହନୁମାନ ଚାଳିସା ପଢ଼ିବା ପାପ, ତେବେ ଆମେ ହନୁମାନ ଚାଳିସା ପଢ଼ିବୁ। ସରକାର ଯଦି ଚାହିଁବେ ତେବେ ଆମ ବିରୋଧରେ ଦେଶଦ୍ରୋହ ଧାରା ଲଗାଇ ଆମକୁ ଗିରଫ କରିପାରିବେ ବୋଲି ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି । ସେପଟେ ଉଦ୍ଧବ ଠାକରେଙ୍କ ରାଜୁତିରେ ଜେଲରେ ଜଣେ ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର କରାଯାଇଛି। ତାଙ୍କ ଜାତି ଉପରେ ମନ୍ତବ୍ୟ ଦିଆଯିବା ସହ ଜେଲରେ ତାଙ୍କୁ ପାଣି ପିଇବାକୁ ଦିଆଯାଇନାହିଁ ଏବଂ ଶୌଚାଳୟ ମଧ୍ୟ ବ୍ୟବହାର କରିବାକୁ ଦିଆଯାଇନାହିଁ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଲାଉଡସ୍ପିକର ପ୍ରସଙ୍ଗରେ ରାଜ୍ୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି ।
ତେବେ ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଯୋଗ ଦେଉ ନଥିବା ବେଳେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏହି ସଭାରେ ଯୋଗ ଦେବେନାହିଁ ବୋଲି ଜଣାପଡ଼ିଛି। ତେବେ ରାଜ୍ୟରେ ଯାହା ଘଟୁଛି ତାହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟୁଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ବୈଠକରେ ଉପସ୍ଥିତ ନାହାଁନ୍ତି, ତେବେ ଏପରି ସଭାରେ କେଉଁ ନିଷ୍ପତ୍ତି ନିଆଯିବ? ଏହା ସମୟର ଅପଚୟ ନୁହେଁ କି? ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।