କିଏ ପୋଡ଼ିଲା ବିଜେପି ଅଫିସ ?

(ସତ୍ୟପାଠ ବ୍ୟୁରୋ) କୋଲକାତା: ପଶ୍ଚିମବଙ୍ଗର ଆସାନସୋଲ ସାଲନପୁର ଗାଆଁରେ ଥିବା ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟକୁ ପୋଡ଼ି ଦେଲେ ଦୁର୍ବୃତ୍ତ । ରବିବାର ରାତିରେ ଦୁର୍ବୃତ୍ତମାନେ ଅଫିସରେ ନିଆଁ ଲଗାଇ ଖସି ପଳାଇଯାଇଥିଲେ ।

ବିଜେପି ଅଭିଯୋଗ କରିଛି ଯେ ଏ ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ ଅଛି ।  କିନ୍ତୁ, ତୃଣମୂଳ କଂଗ୍ରେସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ।

ବିଜେପି ଅଭିଯୋଗ କରିଛି ଯେ ଟିଏମ୍‌ସିର ଗୁଣ୍ଡାମାନେ ପୂର୍ବରୁ ମଧ୍ୟ ବିଜେପି ଅଫିସରେ ଏ ଭଳି ଆକ୍ରମଣ କରିଛନ୍ତି । ବିଜେପି ନେତା ଗୋପାଳ ରାୟ କହିଛନ୍ତି ଯେ ଏ ଅଞ୍ଚଳରେ ବିଜେପିର ପ୍ରଭାବ ବଢୁଥିବାରୁ ଟିଏମ୍‌ସି ଗୁଣ୍ଡାମାନେ ଦଳୀୟ କାର୍ଯ୍ୟାଳୟକୁ ପୋଡ଼ି ଦେଇଛନ୍ତି ।

କମ୍ବଳ ବଣ୍ଟନ ଲାଗି ବିଜେପି ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଏଠାରେ ବହୁ ଜନସମାଗମ ହୋଇଥିଲା । ଏଥିରେ ଚିନ୍ତିତ ହୋଇ ଟିଏମ୍‌ସି ଈର୍ଷାରେ ବିଜେପିର ଦଳୀୟ କାର୍ଯ୍ୟାଳୟ ପୋଡ଼ି ପକାଇଛି ।

ସେପଟେ ତୃଣମୂଳ କଂଗ୍ରେସର ନେତା ହରେରାମ ତିଓ୍ଵାରି ବିଜେପିର ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ବିଜେପି କର୍ମୀମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଏ ଭଳି ଘଟଛି । ଦଳୀୟ କାର୍ଯ୍ୟାଳୟରେ ବିଜେପି ନେତାମାନେ ମଦ୍ୟପାନ ସମେତ ସବୁ ପ୍ରକାରର ଅନୈତିକ କାର୍ଯ୍ୟ କରନ୍ତି । ତେଣୁ ଏହା ତାହାର ପ୍ରତିଫଳନ ବୋଲି ତିୱାରି ବିଜେପିକୁ ପାଲଟା ସମାଲୋଚନା କରିଛନ୍ତି ।

 

Related Posts