ଭୁବନେଶ୍ୱର ଏମସ୍‌ ହସ୍ପିଟାଲରେ ଭର୍ତ୍ତି ହେବେ ଇଡି ଦ୍ଵାରା ଗିରଫ ପଶ୍ଚିମବଙ୍ଗର ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

କୋଲକତା: ଭୁବନେଶ୍ୱର ଏମସ୍‌ ହସ୍ପିଟାଲରେ ଭର୍ତ୍ତି ହେବେ ପଶ୍ଚିମବଙ୍ଗର ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଶିକ୍ଷକ ଦୁର୍ନୀତି ଅଭିଯୋଗରେ ଇଡି ଦ୍ୱାରା ବନ୍ଧା ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ଆଜି ଭୁବନେଶ୍ୱର ଏମସ୍‌ ହସ୍ପିଟାଲରେ ଭର୍ତ୍ତି କରାଯିବ ।

ମନ୍ତ୍ରୀ ଚାଟାର୍ଜୀ ଏବେ କୋଲକତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଡନ୍‌ ପରି ବ୍ୟବହାର କରୁଛନ୍ତି। ଏପରିକି ଇଡି ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ କ୍ୟାଲକାଟା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଆଜି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯିବ । ଅଭିଯୁକ୍ତଙ୍କୁ ଏସଏସକେଏମ ସୁପର ସ୍ପେସିଆଲିଟି ହସ୍ପିଟାଲରୁ ପ୍ରଥମେ କୋଲକାତା ବିମାନବନ୍ଦରକୁ ନିଆଯିବ। ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯିବ । ଏହି ସମୟରେ ତାଙ୍କ ସହିତ ଜଣେ ଡାକ୍ତର ଏବଂ ତାଙ୍କ ଓକିଲ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କ୍ୟାଲକାଟା ହାଇକୋର୍ଟ ।

AIIMS ଭୁବନେଶ୍ୱରର ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରିବେ। ଏହାପରେ ଉକ୍ତ ଟିମ୍‌ ଏକ ରିପୋର୍ଟ ପ୍ରସ୍ତୁତ କରି ଅନୁସନ୍ଧାନକାରୀ ସଂସ୍ଥା, ଏସଏସକେଏମ୍‌ ହସ୍ପିଟାଲ ଏବଂ ଅଭିଯୁକ୍ତଙ୍କ ଓକିଲଙ୍କୁ ପ୍ରଦାନ କରିବ। ଅନୁସନ୍ଧାନକାରୀ ଅଧିକାରୀ ସେହି ରିପୋର୍ଟ କୋଲକାତାସ୍ଥିତ ଇଡି ଅଧିକାରୀଙ୍କୁ ହସ୍ତାନ୍ତର କରିବେ।

ପଶ୍ଚିମବଙ୍ଗ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ ପରେ ପ୍ରଥମେ କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ତାଙ୍କୁ ଏସଏସକେଏମ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ହାଇକୋର୍ଟରେ ଇଡି ଆବେଦନ କରିଥିଲା। ଯେତେଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ଚାଟାର୍ଜୀଙ୍କ ଚିକିତ୍ସା ଚାଲିଛି, ସେହି ସମୟକୁ ଚାଟାର୍ଜୀଙ୍କ ରିମାଣ୍ଡ ଅବଧୀ ଭାବେ ବିବେଚନା ନ କରିବାକୁ ଇଡି ପକ୍ଷରୁ ଆବେଦନରେ କରାଯାଇଛି । ଚାଟାର୍ଜୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ଦିଲ୍ଲୀ କିମ୍ବା କୋଲକତାସ୍ଥିତ ଏମ୍ସ କଲ୍ୟାଣୀକୁ ନେବାକୁ ପ୍ରସ୍ତୁତ ଥିବା ଇଡି ପକ୍ଷରୁ ନିଜ ଆବେଦନରେ କୁହାଯାଇଥିଲା। ମାତ୍ର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କ୍ୟାଲକାଟା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ମାମଲାକୁ ଶୁଣାଣି କରୁଥିବା ବେଳେ ଆଇନ ଜାଲରୁ ବଞ୍ଚିବା ପାଇଁ ମନ୍ତ୍ରୀ ଚାଟାର୍ଜୀ ଅସୁସ୍ଥତାର ଏପରି ନାଟକ କରୁଥିବା ଇଡି ପକ୍ଷରୁ କୁହାଯାଇଛି।

Related Posts