ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ନବ ଦାସଙ୍କ ହତ୍ୟା ପଛର କାରଣ କ’ଣ? ସେନେଇ କ୍ରାଇମବ୍ରାଞ୍ଚ କିଛି ସ୍ପଷ୍ଟ କରିନି। କିନ୍ତୁ ଏହାରି ଭିତରେ ହତ୍ୟା ପଛର ଉଦ୍ଦେଶ୍ୟକୁ ନେଇ ରାଜନୈତିକ ବୟାନବାଜି ତେଜିଛି। ବିରୋଧୀ ଏହି ପ୍ରସଙ୍ଗରେ ଶାସକ ଦଳକୁ ଜୋରଦାର ଆକ୍ରମଣ କରୁଛନ୍ତି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହତ୍ୟା ପଛରେ 5T ସଚିବ ଭିକେ ପାଣ୍ଡିଆନ ଓ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଂପୃକ୍ତି ଥିବା ସନ୍ଦେହ କରୁଥିବା ବେଳେ ଏହି ହତ୍ୟାକାଣ୍ଡରେ ପଶ୍ଚିମ ଓଡ଼ିଶାର ଜଣେ ବାହୁବଳୀ ନେତାଙ୍କ ସଂପୃକ୍ତି ରହିଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ବିଜେଡିର ବାହୁବଳୀ ନେତା ନବ ହତ୍ୟା କାଣ୍ଡରେ ସମ୍ପୃକ୍ତ ଅଛନ୍ତି। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। କାହିଁକି କଣ ପାଇଁ ହତ୍ୟା ହେଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସ୍ପଷ୍ଟ କରୁ ନାହାନ୍ତି। ଗୋପାଳଙ୍କୁ ପାଗଳ କରିଦେବାକୁ ଚେଷ୍ଟା କି ସେ ପାଗଳ ସ୍ପଷ୍ଟ କରନ୍ତୁ ସରକାର। ତେଣୁ କଂଗ୍ରେସ ଏସଆଇଟି ତଦନ୍ତ ଦାବି କରୁଛି। ଏହି ଘଟଣାରେ ରାଜ୍ୟ ସରକାର ସଂନ୍ଦେହ ଘେରରେ ରହିଛନ୍ତି ବୋଲି ତାରା କହିଛନ୍ତି।

ତାରା କହିଛନ୍ତି, ସରକାର ନିରପେକ୍ଷ ତଦନ୍ତ କରୁଛନ୍ତି ବୋଲି ହୃଦବୋଧ ହେଉ ନାହିଁ। ଆସ ଅନୁମାନ କରୁଛୁ ବିଜେଡିର ଜଣେ ନେତା ମାରିଲା ଭଳି ଲାଗୁଛି। ବିଜେଡିରେ ପଶ୍ଚିମ ଓଡ଼ିଶାର ଜଣେ ବାହୁବଳୀ ନେତାଙ୍କ ସହ ନବ ଦାସଙ୍କର ପଡୁନଥିଲା। ସେ ବାହୁବଳୀ ନେତା ତାଙ୍କୁ ମାରିଦେଇନାହାନ୍ତି ତ? ସେ ବିଷୟରେ ପ୍ରଶ୍ନକାଳରେ ଆଲୋଚନା ହେଉ। କଂଗ୍ରେସ ରାଜନୀତି କରୁନି ନ୍ୟାୟ ଦାବି କରୁଛି ଯିଏ ପ୍ରକୃତ ହତ୍ୟାକାରୀ ତାକୁ ଧରାଯାଉ। ନବ ଦାସ ପୂର୍ବରୁ କଂଗ୍ରେସରେ ଥିଲେ। ସେ ତାଙ୍କର ବନ୍ଧୁ। କଂଗ୍ରେସରେ ଥିଲା ବେଳେ ନବ ଦାସ କହୁଥିଲେ ପଶ୍ଚିମ ଓଡ଼ିଶାର ବିଜେଡି ବାହୁବଳି ନେତା ସହ ତାଙ୍କର ପଡୁନଥିଲା ବୋଲି ତାରା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର କହିଥିଲେ ନବ ଦାସଙ୍କ ହତ୍ୟା ମାମଲାରେ 5T ସଚିବ ଭିକେ ପାଣ୍ଡିଆନ୍‌ ଓ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ସଂପୃକ୍ତି ରହିଛି। ଉଭୟଙ୍କ ଫୋନ୍ କଲ ରେକର୍ଡ ତଦନ୍ତ ପରିସର ହେଉ ବୋଲି ଦାବି କରିଥିଲେ।