ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦୁଇ ଦିନ ହୋହାଲ୍ଲା ହଟ୍ଟଗୋଳ ମଧ୍ୟରେ ବିତିଥିବା ବେଳେ ଆଜି ତୃତୀୟ ଦିବସରେ ସ୍ଵାଭାବିକ ହୋଇଛି ଗୃହ କାର୍ଯ୍ୟ। ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଆଜି ରାଜ୍ୟରେ ପର୍ଯ୍ୟଟନ ବିକାଶ ନେଇ ଆଲୋଚନା ଚାଲିଛି । ୨୦୧୬ ଓ ୨୦୧୮ରେ ମେକ ଇନ ଓଡ଼ିଶାର ସଫଳତା ପାଇଁ ପୁଣି ୨୦୨୨ରେ ଆଲୋଚନା ହୋଇଛି ।

୨୦୧୬ ମେକ ଇନ ଓଡ଼ିଶାରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଜରିଆରେ ୧୨୨ଟି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅନୁମୋଦନ ପାଇଥିଲା । ଏଥିରେ ପଞ୍ଚ ତାରକା ହୋଟେଲ, ମୋଟେଲ, ରିସର୍ଟ, ୱାଟର ପାର୍କ, ହାଉସ ବୋଟ୍ ପରି ସୁବିଧା କରାଯିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମୂଳ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଥିଲେ । ବଲାଙ୍ଗୀର ଜିଲ୍ଲାର ରାଣିପୁର ଝରିଆଲର ବିକାଶ ହେଉନଥିବା ଯୋଗୁଁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ ସନ୍ତୋଷ ସିଂ ସାଲୁଜା ଅସନ୍ତୋଷ ପ୍ରକାଶ କରିଥିଲେ। ନରସିଂହ କହିଥିଲେ ଯେ, ପୁରୀ ମନ୍ଦିର ଦାଇତ୍ୱ ଏଏସଆଇ ନେଇ ଥିବା ସତ୍ୱେ ରାଜ୍ୟ ସରକାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଣୀପୁର ଝରିଆଲର କାହିଁକି ବିକାଶ ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ ।

ସେପଟେ ଆଜି ବିଧାନସଭାରେ ଉଠିଛି ଦେଉମାଳି ପ୍ରସଙ୍ଗ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ପ୍ରସଙ୍ଗ ଉଠାଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ୨୦ ବର୍ଷ ଭିତରେ କେତେ ଟଙ୍କା ଖର୍ଚ୍ଚ କରିଛ ଦେଓମାଳି ପର୍ଯ୍ୟଟନର ବିକାଶ ପାଇଁ ? ଦେଓମାଳି ପର୍ବତମାଳାକୁ ସରକାରୀ ପର୍ଯ୍ୟଟନ ମାନ୍ୟତା ନ ଦେବାର କାରଣ କଣ ? ଏବଂ କିଏ କିଏ ଏଥିରେ ପ୍ରତି ବନ୍ଧକ ସାଜିଛନ୍ତି ? ଉପକୂଳ ଅଞ୍ଚଳରେ ବିକାଶ ହେଉଛି କିନ୍ତୁ କୋରାପୁଟର ପର୍ଯ୍ୟଟନ ବିକାଶ ପାଇଁ କଣ କରୁଛ ? ଅସନ୍ତୋଷ ପ୍ରକାଶ କରି ତାରା କହିଛନ୍ତି, କୋରାପୁଟର ବିକାଶ ପାଇଁ ମନ୍ତ୍ରୀ ଦୟାକରି ଟଙ୍କାଟିଏ ନ ଦିଅନ୍ତୁ ।

ତାରାଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଗୁରୁତର ସହ କୋରାପୁଟ ପର୍ଯ୍ୟଟନର ବିକାଶ କରାଯାଉଛି । ପର୍ଯ୍ୟଟନ କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ବାଦ ନାହିଁ । ନୂଆ ପର୍ଯ୍ୟଟନ ସ୍ଥଳୀର ପ୍ରସ୍ତାବ ଆସିଲେ ଜିଲ୍ଲାପାଳଙ୍କ ଜରିଆରେ ପଦକ୍ଷେପ ନିଆଯିବ ।

ମନ୍ତ୍ରୀ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବାଚସ୍ପତିଙ୍କ ପୋଡିୟମ ତଳେ ତାରା ବସିପଡିଥିଲେ । ପରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ତାରାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ସନ୍ତୋଷ ସିଂ ସାଲୁଜା ଓ ମୋହନ ମାଝୀ ତାରାଙ୍କୁ ବୁଝାଇଥିଲେ । ସେପଟେ ଖୋଦ ବିଜେଡି ବିଧାୟକ ରାଜ କିଶୋର ଦାସ କହିଛନ୍ତି ଲକ୍ଷେ ଦେଢ଼ ଲକ୍ଷ ଟଙ୍କାରେ କିପରି ପର୍ଯ୍ୟଟନର ବିକାଶ ହେବ ?