ମୋଦୀ ସରକାରଙ୍କ ଆବଣ୍ଟିତ ବଙ୍ଗଳାରେ ବସିଥିବା ଲୋକମାନେ ଯାହା ଦେଖାଉଛନ୍ତି ତାହା ସତ୍ୟ ନୁହେଁ; ଆଜାଦଙ୍କୁ ରମେଶଙ୍କ କଟାକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଗତ ସପ୍ତାହରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ହେଲେ ଏବେ ମଧ୍ୟ କଂଗ୍ରେସ ଦଳ ଏବଂ ଆଜାଦଙ୍କ ମଧ୍ୟରେ ବିବାଦ ଜାରି ରହିଛି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ, ଗୁଲାମ ନବୀ ଆଜାଦଙ୍କୁ ଟ୍ୱିଟ ଯୋଗେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ବାସ୍ତବ ସ୍ଥିତି ମୋଦୀ ସରକାର ବଣ୍ଟନ କରିଥିବା ବଙ୍ଗଳାରେ ବସିଥିବା ଲୋକଙ୍କ ମତ ଠାରୁ ଭିନ୍ନ ।ଟ୍ୱିଟରରେ ଜମୁ କାଶ୍ମୀର କଂଗ୍ରେସର ଏକ ଭିଡିଓ ଟ୍ୟାଗ୍ କରି ଜୟରାମ ରମେଶ କହିଛନ୍ତି ଯେ ଦିଲ୍ଲୀରେ ମୋଦୀ ସରକାରଙ୍କ ପକ୍ଷରୁ ଆବଣ୍ଟିତ ହୋଇଥିବା ବଙ୍ଗଳାରେ ବସିଥିବା ଲୋକମାନେ ଯାହା ଦେଖାଉଛନ୍ତି ତାହା ସତ୍ୟ ନୁହେଁ । ଜମ୍ମୁ କାଶ୍ମୀର କଂଗ୍ରେସ ବିଷୟରେ ମିଥ୍ୟା ଖବର ଦେଖାଯାଉଛି ବୋଲି ରମେଶ ଅଭିଯୋଗ କରିଛନ୍ତି ।

ତେବେ ଜମ୍ମୁ କାଶ୍ମୀର କଂଗ୍ରେସ ପକ୍ଷରୁ ଟୁଇଟ୍ କରି କୁହାଯାଇଥିଲା ଯେ, ଭାଲେସା ସବ୍-ଡିଭିଜନର ସମସ୍ତ ବ୍ଲକରୁ କଂଗ୍ରେସ କର୍ମୀମାନେ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ମାସିକ ବୈଠକ କରିଥିଲେ। ଏହି ବୈଠକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଆସୁଛି ଏବଂ ଏହି ପରମ୍ପରା ୫୦ ବର୍ଷ ଧରି ଚାଲିଆସୁଛି ବୋଲି କୁହା ଯାଇଥିଲା। ତେବେ ଭାଲେସା ହେଉଛି ଗୁଲାମ ନବୀ ଆଜାଦଙ୍କ ନିଜ ଅଞ୍ଚଳ। ସେଠାରେ କଂଗ୍ରେସର ନିୟମିତ ବୈଠକ ହେଉଛି ଓ କର୍ମୀ ମାନେ କଂଗ୍ରେସ ସହ ରହିଛନ୍ତି ଦର୍ଶାଯାଇଛି। ତେବେ ଆଜାଦ୍ ଯିବା ପରେ କଂଗ୍ରେସ ଜମ୍ମୁ କାଶ୍ମୀରରେ ଦୁର୍ବଳ ହୋଇଯାଇଥିବା ଚର୍ଚ୍ଚା ଭୁଲ ଓ ମିଥ୍ୟା ବୋଲି କହିଛନ୍ତି ଜୟରାମ ରମେଶ।

ସୂଚନାଯୋଗ୍ୟ ଯେ, ଗୁଲାମ ନବୀ ଆଜାଦ ଅଗଷ୍ଟ ୨୬ରେ କଂଗ୍ରେସ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ । ଏଥିସହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ । ତାଙ୍କ ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ ଏବଂ ୟୁପିଏ ଯୁଗରେ ନିୟମକୁ ଭାଙ୍ଗିବା ଏକ ବଡ ଭୁଲ ବୋଲି କହିଥିଲେ । ସେ କହିଛନ୍ତି ଯେ ୨୦୧୪ ରେ ଗୋଟିଏ ଘଟଣା ହେତୁ କଂଗ୍ରେସର ପରାଜୟ ଆରମ୍ଭ ହୋଇଥିଲା । କେବଳ ଏତିକି ନୁହେଁ କଂଗ୍ରେସ ସହ ଜଡିତ ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ ଦେହ ରାକ୍ଷୀ ଏବଂ ପିଏ ନେଉଛନ୍ତି ବୋଲି ସେ କହିଛନ୍ତି । ଗଣମାଧ୍ୟମକୁ ଆଜାଦ କହିଥିଲେ ଯେ ମୁଁ ମୋ ଘର ଛାଡିବାକୁ ବାଧ୍ୟ ହୋଇଛି, ଯେଉଁଥିରେ ମୁଁ ଦଶନ୍ଧି ଧରି କାମ କରିଥିଲି । ସେ କହିଥିଲେ ଯେ ମୋଦୀଙ୍କ ପାଇଁ କଂଗ୍ରେସ ବାହାନା କରୁଛି, ଦଳରେ ସଂସ୍କାର ଆଣିବା ପାଇଁ ଆମେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରଠାରୁ ଆମ ସହ ତାଙ୍କର ଅସୁବିଧା ହୋଇଥିଲା । କଂଗ୍ରେସ ଉପରେ ଏପରି ଅନେକ ଅଭିଯୋଗ କରି ଦଳରୁ ଆଜାଦ୍ ଇସ୍ତଫା ଦେଇଥିଲେ।

Related Posts