କାଉଣ୍ଟଡାଉନ ପଚିଶ, ଖୋଲିବେ କଣ

ଭୁବନେଶ୍ୱର- ଦଳରୁ ବହିଷ୍କୃତ ହେବା ପରେ ଚର୍ଚ୍ଚାରେ ଶ୍ରୀକାନ୍ତ ଓ ତାଙ୍କର ମହାଖୁଲାସାର ଧମକ । ଏବେ ସୋସିଆଲ ମିଡିଆରୁ ନେଇ ଚା ଖଟି ପର୍ଯ୍ୟନ୍ତ ସବୁଠି ଗୋଟିଏ ଚର୍ଚ୍ଚା । ୨୫ରେ ବାସ୍ତବିକ କଣ ଖୋଲିବେ ଶ୍ରୀକାନ୍ତ ଜେନା । କଣ ଏମିତି ଶ୍ରୀକାନ୍ତ ଜାଣିଛନ୍ତି ରାହୁଲ ଗାନ୍ଧୀଙ୍କ ବିଷୟରେ ଯାହା କହିଦେଲେ ରାହୁଲଙ୍କ ମୁହଁ କଳା ପଡିଯିବ ।

ଯେତେବେଳେ ଖୁଲାସାର କଥା ଆସେ ଲାଗେ ନିଶ୍ଚିତ କିଛି ବିସ୍ଫୋରଣ ହେବ । ଅବଶ୍ୟ ଦୁଇଟି ଦିଗରୁ ଏହାକୁ ବିଚାର କରାଯାଇପାରେ । ଗୋଟିଏ ରାଜନୈତିକ ଭାବମୂର୍ତ୍ତୀ ଆଉ ଅନ୍ୟଟି ବ୍ୟକ୍ତିଗତ ଚରିତ୍ର ସଂହାର କରିବା । ଭାବମୂର୍ତ୍ତୀ କଥା ଯଦି ଦେଖାଯାଏ ତେବେ ରାହୁଲ କେଉଁ ଦୁର୍ନୀତିରେ ସଂପୃକ୍ତ ବା ଦୁର୍ନୀତି କରିବା ନେଇ କାହା ସହ ସାଥ୍ ଦେବା ଭଳି କଥାଟି ହୋଇଥିବ । ଅନ୍ୟଥା ବ୍ୟକ୍ତିଗତ କଥା ହେଲେ, କେଉଁ କଥା ଆଲୋଚିତ ହେବ ତାହା ପାଠକେ ବେଶ ଅନ୍ଦାଜ ଲଗାଇ ପାରୁଥିବେ ।

ରାଜନୈତିକ ଦିଗକୁ ଯତକିଂଚିତ ଯଦି ଆଲୋଚନା କରାଯାଏ, କେବଳ ଓଡିଶା କଂଗ୍ରେସର ଜଣେ ବରିଷ୍ଠ ନେତା ହିସାବରେ ଗାନ୍ଧୀ ପରିବାର ସହ ଜଡିତ ଥିଲେ ଶ୍ରୀକାନ୍ତ । କିନ୍ତୁ ଯଦି ବା ରାହୁଲ କୌଣସି ର୍ଦୁନୀତିରେ ଲିପ୍ତ ଥିବେ ତାହା ଶ୍ରୀକାନ୍ତଙ୍କୁ ଜଣେ କଂଗ୍ରେସ ନେତା ଭାବେ ଜଣାଥିବ ବୋଲି କହି ହେଉନାହିଁ । କାରଣ ଗାନ୍ଧୀ ପରିବାର ସହ ଶ୍ରୀକାନ୍ତଙ୍କର ରାଜନୈତିକ ସମ୍ପର୍କ , ଯାହା ଅଧିକ ଘନିଷ୍ଠ ନୁହେଁ । ନଚେତ ତାଙ୍କୁ ଦଳରୁ କାଢ଼ିବା ବେଳେ ରାହୁଲ ଗାନ୍ଧୀ ଅନେକ ଥର ଭାବିଥାଆନ୍ତେ ।

ବାକି ରହିଲା ବ୍ୟକ୍ତିଗତ କଥା । ରାହୁଲ ତ ଆଉ ଶ୍ରୀକାନ୍ତଙ୍କୁ ନେଇକି କାହା ପାଖକୁ ଯାଇ ନଥିବେ ବା ଶ୍ରୀକାନ୍ତ କଣ କେହି ବି ଜାଣିଲା ଭଳି ସେଭଳି କିଛି କାମ କରି ନଥିବେ (ଯଦି ବା କରିଥିବେ) । ତେଣୁ ଏ ତମାମ ପ୍ରସଙ୍ଗ ଉପରେ ଖାଲି ଆଖି ବୁଲାଇ ଆଣିଲେ ସ୍ପଷ୍ଟ ହୋଇ ଯାଉଛି ଏ ଦୁଇଟି ଦିଗରେ ଶ୍ରୀକାନ୍ତ କିଛି ସେମିତି ବଡ ଚାଲାକି ଧରି ନଥିବେ ।

ଏବେ ଆସିବା ଶ୍ରୀକାନ୍ତଙ୍କ ପାଖକୁ । ୨୫ ତାରିଖ ଦିନ ଶ୍ରୀକାନ୍ତ ଜେନାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବ ତାହା ଏବେ ଠୁ କୁହାଯାଇପାରେ । ଅବଶ୍ୟ ତାଙ୍କ ଭଳି ବ୍ୟକ୍ତି ଖୁଲାସା କରିବେ ମାନେ ଶବ୍ଦରେ କିଛି କହିବେନି । ନହେଲେ ତାହା ଗୁଲିଖଟି ଭଳି ଲାଗିବ । ନିଶ୍ଚୟ କିଛି କାଗଜପତ୍ର ଦେଖାଇବେ । ଯଦି ସବୁ କିଛି ଠିକଠାକ କରିଦେଲେ ତ ଶ୍ରୀକାନ୍ତ ହିରୋ, ଆଉ ଯୋଗକୁ ଯଦି କରି ନପାରିଲେ ଶ୍ରୀକାନ୍ତ ଯେ କେବଳ ଚକ୍ରାନ୍ତକାରୀ ନୁହଁନ୍ତି, ଚାଳୁଆ ବୋଲି ପ୍ରମାଣିତ ହୋଇଯିବ ।

ବିଜେଡିରୁ ବିଦା ହେବା ପରେ ଦିନା କେତେ ଦାମବାବୁଙ୍କୁ ବି ମିଡିଆ ହିରୋ ଭାବୁଥିଲା । କଥା କଥାରେ ଗୁଗଲି ଫିଙ୍ଗି ନବୀନ ସରକାରକୁ ଅଣନିଶ୍ୱାସୀ କରି ପକାଉଥିଲେ ଦାମବାବୁ । ହେଲେ ବିନା ତଥ୍ୟ, ବିନା କାଗଜପତ୍ରରେ ଦାମ ଥିଓରୀ ବି କାମ ଦେଲାନି । ତେଣୁ ଶ୍ରୀକାନ୍ତଙ୍କ ଖୁଲାସା କୁ ନେଇ କଂଗ୍ରେସ ଯେତିକି ଆଶଙ୍କାରେ ଅଛି, ସିଟରେ ବସିଥିବା ଲୋକଟା ହଠାତ ଉଠି ଯାଇ ନିଜେ ଖଣ୍ଡା ଧାର ଉପରେ ଛିଡା ହୋଇଯାଇଥିବା ଅବସ୍ଥାରେ ଶ୍ରୀକାନ୍ତ ବାବୁ । ଆଶା କରିବୁ, ଜେନା ବାବୁ କଥାରେ , ଶବ୍ଦର ଛନ୍ଦ ଲାଳିତ୍ୟ ବ୍ୟବାହାର ନକରି ବରଂ ନଥିପତ୍ର, ଦସ୍ତାବିଜ ଓ ଦଲିଲ କିମ୍ବା, ଅଡିଓ, ଭିଡିଓ କ୍ଲିପିଂର ବ୍ୟବହାର କରିବେ ।

Related Posts