କଣ୍ଟା ଗଲା, ପଶିବେ ବିଜୟ, ଦିଲ୍ଲୀପ, ପଞ୍ଚାନନ

ଭୁବନେଶ୍ୱର- ଯେଉଁଠି କେଁ ଥିଲା, ସେ ଗଲା । ଏବେ ରାସ୍ତା ଏକଦମ ସଫା, ଚକାଚକ । ଅଟକିବାକୁ ଇଚ୍ଛା ନାହିଁ କି ଅଟକାଇବାକୁ କେହି ନାହିଁ । ଆମେ କହୁଛୁ ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଓ ପଂଚାନନ କାନୁନଗୋଙ୍କ କଥା । ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରୁ ବିଦା କରାଯିବା ପରେ ଏବେ ଖୁବଶୀଘ୍ର ଏହି ତିନି ନେତା କଂଗ୍ରେସରେ ଯୋଗ ଦେବେ ବୋଲି ଆଲୋଚନା ଆରମ୍ଭ ହୋଇ ଯାଇଛି ।

ବିଜେପିରୁ ଇସ୍ତଫା ଦେବା ପରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ କଂଗ୍ରେସକୁ ଆସିବା ପାଇଁ ସମସ୍ୟା ସୃଷ୍ଟି କରୁଥିଲେ ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତ ଦଳରେ ଥିବା ପର୍ଯ୍ୟନ୍ତ ଏମାନେ ଦଳରେ ଯୋଗ ଦେବେ ନାହିଁ ବୋଲି କୁଆଡେ ନେତୃତ୍ୱଙ୍କୁ ଶୁଣାଇ ଦେଇଥିଲେ । ରାଜନୀତି ମଇଦାନରେ ଏମିତି ହାର୍ଡ ବାର୍ଗେନ ଚାଲିଥିବା ବେଳେ ଏମାନଙ୍କ ରାସ୍ତାରେ ସହଯାତ୍ରୀ ହୋଇଥିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ।

ସମାନ ପ୍ରସ୍ତାବ ବି ରଖିଥିଲେ ପଂଚାନନ । କେବଳ ଶ୍ରୀକାନ୍ତଙ୍କ ପାଇଁ ତିନିଟି ଡାର୍କ ହର୍ସ କଂଗ୍ରେସକୁ ଆସି ପାରୁ ନଥିବା କୁଆଡେ ପିସିସି ମୁଖିଆ ବି ବୁଝାଇ ଦେଇଥିଲେ କେନ୍ଦ୍ରୀୟ ନେତୃତ୍ୱଙ୍କୁ । ଫଳରେ ଶ୍ରୀକାନ୍ତଙ୍କୁ ବିଦା କରିବା ପାଇଁ ବାଟ ଖୋଜୁଥିଲା ଦଳ । ତେବେ ବିରାଡି କପାଳକୁ ଶିକା ଛିଣ୍ଡିବା ଭଳି ରାଜ୍ୟ ନେତୃତ୍ୱକୁ ବାରମ୍ବାର ଟାର୍ଗେଟ କରିବା ସୁଯୋଗକୁ ଆଦୌ ହାତଛଡା କରିନଥିଲା କଂଗ୍ରେସ । ତୁରନ୍ତ ତାଙ୍କୁ ରାତି ଅଧରେ ବିଦା କରାଗଲା । ମାନେ ସାପ ମଲା ହେଲେ ବାଡି ଭାଙ୍ଗିଲାନି ।

ଏବେ ଏମାନଙ୍କ ରାସ୍ତାରେ କଣ୍ଟା ସାଜିଥିବା ଶ୍ରୀକାନ୍ତ ହଟି ଯାଇଛନ୍ତି । ହାତରେ ସମୟ ବି ବହୁତ କମ । ଚୁପଚାପ ରହୁଥିବା ମାପିଚୁପି କହୁଥିବା ବିଜୟ ଓ ଦିଲ୍ଲୀପଙ୍କ ସହ ପଂଚାନନ ଖୁବଶୀଘ୍ର ମିଶିବେ କଂଗ୍ରେସରେ । ଦଳ ବି ତୟାର, ନେତା ବି ପ୍ରସ୍ତୁତ । ଖାଲି ଶୁଭବେଳା, ଆଉ ଶୁଭ ଦିନ ଦେଖି ତିନିଜଣଙ୍କୁ ପାଛୋଟି ନେବ ହାତ । ଆଉ ହାତ ସହ ହାତ ମିଶାଇ ତିନିହେଁ ଟାଣ କରିବେ ହାତମୁଠାକୁ ।

Related Posts