ଆଉ ଦେଖା ଯାଉ ନାହାଁନ୍ତି ପ୍ରତାପ

ସତ୍ୟପାଠ ବ୍ୟୁରୋ : ଆଗରୁ ସୁବଦିନ ତାଙ୍କର ଦେଖା ମିଳୁଥିଲା । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ହେଲେ ସେ ହିଁ ପ୍ରଥମେ ମାଇକ ଧରନ୍ତି । ତାଙ୍କ ବାଇଟ ନେବାକୁ ମିଡିଆ ଅପେକ୍ଷା କରେ । ଆମେ କହୁଛୁ ବିଜୁ ଜନତା ଦଳର ନେତା ପ୍ରତାପ ଦେବଙ୍କ କଥା ।

ମୁଖପାତ୍ର । ସାଂସଦ । ଆଉ ଏବେ ବିଧାୟକ । ବିଜୁ ଜନତା ଦଳର ଅନ୍ୟତମ ପ୍ରଭାବଶାଳୀ ଯୁବନେତା ଭାବେ ପରିଚିତ ପ୍ରତାପ ଦେବ । ରାତି ପାହିଲେ ମିଡିଆର ବୁମ୍ ଲାଗେ ବାବୁଙ୍କ ମୁହଁରୁ କିଛି କଡା କଥା ଉଖାରିବାକୁ । ରାଜ୍ୟ ରାଜନୀତି ହେଉ ଅବା ବିରୋଧୀ କୈନ୍ଦ୍ରିକ ମନ୍ତବ୍ୟ ପାଇଁ ଲୋଡା ପଡନ୍ତି ପ୍ରତାପ । ହେଲେ କଣ ହୋଇଛି କେଜାଣି ଆଜିକାଲି ମିଡିଆରୁ ନିଖୋଜ ହୋଇ ଯାଇଛନ୍ତି ପ୍ରତାପ ଦେବ ।

ଏବେ ପ୍ରତାପଙ୍କୁ ଆଉ ଟିଭି ମିଡିଆରେ ଦେଖିବାକୁ ମିଳୁନି । ଖଟି ଚର୍ଚ୍ଚା ଅନୁସାରେ ଯେବେଠୁ ଅମର ପଟ୍ଟନାୟକ ମୁଖପାତ୍ର ହେଲେଣି ସେବେଠୁ ପ୍ରତାପଙ୍କ ପତା କଟିଛି । ଆଗରୁ ବିଭିନ୍ନ ପ୍ରସଙ୍ଗରେ ପ୍ରତାପଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧୀ ଧାଡି ଲଗାଉଥିଲେ ହେଲେ ଏବେ ଟିଭିରେ ପ୍ରତାପଙ୍କ ଅପେକ୍ଷା ଅମରଙ୍କ ମୁହଁ ବେଶୀ ଦିଶୁଛି ।

ନିର୍ବାଚନରେ ଦଳର ସଂଖ୍ୟା ହ୍ରାସ ହେଉ କି ବିଜେପି ଆଡକୁ ଦଳ ଢ଼ଳିବା ହେଉ କିମ୍ବା ରାଜ୍ୟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗରେ ପ୍ରତାପ ଦେବଙ୍କ ପ୍ରତିକ୍ରିୟା କେହି ଦେଖି ନଥିବେ । କୁହାଯାଉଛି, ବିଜେଡି ମହଲରେ ପ୍ରତାପ ବାବୁ ଆଉ ବାସୁ ନାହାଁନ୍ତି । ସୋସିଆଲ ମିଡିଆରେ ଦଳ ପାଇଁ ନୂଆ ମିଶାଲ ତିଆରି କରିଥିବା ଅମର ଏବେ ସମସ୍ତଙ୍କ ମୁଣ୍ଡରେ ବସିଛନ୍ତି ।

ବିଜୁ ଜନତା ଦଳର କୁହାଳିଆ ନେତା ହେଉଛନ୍ତି ପ୍ରତାପ । ଅକାଟ୍ୟ ଯୁକ୍ତି ଆଉ ଶାଣିତ ଭାଷା ନିଆଁ ଲଗାଏ ବିରୋଧୀଙ୍କ ଦେହରେ । କିନ୍ତୁ କୁହାଯାଉଛି ଦଳରେ ତାଙ୍କର ଆଉ ସେମିତି ଗୁରୁତ୍ୱ ନାହିଁ । ନିର୍ବାଚନ ବେଳେ ଫେବୃଆରୀ ମାସରେ ସେ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଥିଲେ ବି ରବି ପାଣିଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲା ଦଳ । ଏମିତିକି ରବିଙ୍କ ଅଧିନରେ ତାଙ୍କୁ କାମ କରିବାକୁ କୁହାଯାଇଥିଲା । ସେତେବେଳେ ପ୍ରତାପଙ୍କୁ ସମ୍ବଲପୁର ଜିଲ୍ଲା ସଭାପତି ଓ ରେଙ୍ଗାଲି ବିଧାୟକ ଖୋଲାଖୋଲି ବିରୋଧ କରିବା ସମସ୍ତେ ଦେଖିଥିଲେ ।

ଆଗକୁ ପାଟକୁରା ନିର୍ବାଚନ । ଯେଉଁଥିପାଇଁ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନି ଦଳ । କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କୁ ହରାଇବାକୁ ପ୍ରତାପ ଜେନା ଓ ଅତନୁ ସବ୍ୟସାଚୀ ସବୁଠୁ ଅଧିକ ପରିଶ୍ରମ କରିଥିଲେ । ଯଦି ପ୍ରତାପଙ୍କୁ ସାମ୍ନାକୁ ଅଣାଯାଏ ତେବେ ଏମାନେ ନାରାଜ ହେବେ । ଏମିତିରେ ଅନୁଭବ ବି କେନ୍ଦ୍ରାପଡାରେ ପଶିଲେଣି । ତେଣୁ ସବୁ ଅଶାନ୍ତଙ୍କୁ ଶାନ୍ତ କରିବାକୁ ଯାଇ ପ୍ରତାପଙ୍କୁ ଚାପି ରଖାଯାଇଥିବା କୁହାଯାଇପାରେ ।

ଏବେ ଅମର କୁଆଡେ ମୁଖିଆ ଓ କ୍ଷମତାକେନ୍ଦ୍ରର ପାଖଲୋକ । ତେଣୁ ତାଙ୍କୁ ଗୁରୁତ୍ୱ ଦେଉଛି ଗଣମାଧ୍ୟମ । ଆଉ ଅଲୋଡା ହୋଇଯାଇଛନ୍ତି ଆଳିର ବିଧାୟକ । ଏମିତି ବି କୁହାଯାଇପାରେ ମିଡିଆରୁ ପ୍ରତାପ ନିଖୋଜ ହୋଇଯାଇଛନ୍ତି ।

Related Posts