ବିଜେପିର ଗଡ଼ କୁହାଯାଉଥିବା ପଶ୍ଚିମଓଡ଼ିଶାରେ କାହିଁକି ଫେଲ ମାରିଲା ବିଜେପି? ଏହାର ଉତ୍ତରରଖି ଏପରି କହିଲେ ବିଜେଡି ନେତା..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ଚାଲିଛି । ତେବେ ଏଥର ବିଜେଡି ବିରୋଧୀଙ୍କୁ ମାତ ଦେଇ ଆଗକୁ ବଢ଼ିଚାଲିଛି । ଏହା ମଧ୍ୟରେ ବିଜେପିର ଗଢ଼ କୁହାଯାଉଥିବା ପଶ୍ଚିମଓଡ଼ିଶାରେ ମଧ୍ୟ ବିଜେପି ଫେଲ ମାରିଛି । କାହିଁକିନା ୨୦୧୯ ନିର୍ବାଚନରେ ପଶ୍ଚିମଓଡ଼ିଶାବାସୀ ୫ ସାଂସଦଙ୍କୁ ନିର୍ବାଚିତ କରିଥିଲେ । ଏଥିରୁ ଅନୁମାନ କରାଯାଉଥିଲା ଯେ ପଶ୍ଚିମଓଡ଼ିଶାରେ ବିଜେପିର ଦବଦବା ଅଛି । ହେଲେ ଏଥର ତାର ବିପରୀତ ହୋଇଛି । ବିଜେପି ବଦଳରେ ଲୋକେ ଶାସକ ଦଳକୁ ବାଛିଛନ୍ତି । ଏସବୁ ମଧ୍ୟରେ ପଞ୍ଚାୟତ ନିର୍ବାଚନରେ ବିରୋଧୀ ଫେଲ ମାରିବାର କାରଣ କହିଛନ୍ତି ବିଜେଡି ନେତା ପ୍ରତାପ ଦେବ । ତେବେ ବିରୋଧୀ କଣ ସତରେ ବିରୋଧୀଙ୍କ ଭୂମିକା ନିର୍ବାହ କରୁଛନ୍ତି । କାହିଁକି ବିରୋଧୀ ଦଳକୁ ଲୋକେ ଗ୍ରହଣ କରୁନାହାନ୍ତି । ବିରୋଧୀଙ୍କ ଏଜେଣ୍ଡା ହିଁ ପଞ୍ଚାୟତ ନିର୍ବାଚନରେ ବଡ ଭୂମିକା ନେଇଥାଏ । କିନ୍ତୁ ବିରୋଧୀଙ୍କ ଏଜେଣ୍ଡା ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ନହୋଇ ନିଜ ରାଜନୈତିକ ଫାଇଦା ପାଇଁ ହେଲେ କଣ ହେବ? ଜନସାଧାରଣ ଭୋଟ ଦେଇ ସରକାର ବାଛନ୍ତି । ସରକାର ତାଙ୍କ କାମ କରୁଛନ୍ତି କିନ୍ତୁ ବିରୋଧୀ ଦଳର କାମ ହେଉଛି ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣିବା ।

ତାହା ସଠିକ୍ ଢଙ୍ଗରେ କରିବାରେ ବିଫଳ ହେଉଛନ୍ତି କି ବିରୋଧୀ ଦଳ? ନିଜ କାମ ନ କରି କେବଳ ସ୍ଲୋଗାନ ଭିତରେ ସୀମିତ ରହିଲେ ଏହାର ଜବାବ ଜନମତରେ ଦେଇଥାନ୍ତି ଜନତା । ଠିକ୍ ଯେମିତି ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ଆଉ ଏଭଳି କହି ବିରୋଧୀଙ୍କ ଏକଛତ୍ରବାଦ ସ୍ଲୋଗାନର କଡା ଜବାବ ରଖିଛନ୍ତି ପ୍ରତାପ ଦେବ । ଯେଉଁଠି ପ୍ରତିଶ୍ରୁତି ପାଳନ ହୁଏ ନାହିଁ ସେଠାରେ ଲୋକେ ପ୍ରତ୍ୟାଖାନ କରନ୍ତି । ପ୍ରତିଶ୍ରୁତି ପାଳନ କଲେ ଲୋକେ ପୁଣିଥରେ ସୁଯୋଗ ଦିଅନ୍ତି । ସେକଥା ବିଜେପି ଭଲଭାବେ ଜାଣିବା ଦରକାର । ନଚେତ ପଶ୍ଚିମ ଓଡ଼ିଶାରେ ବିଜେପିର ଏମିତି ଅବସ୍ଥା ହୋଇନଥାନ୍ତା । ଗତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପଶ୍ଚିମ ଓଡ଼ିଶାରେ ଭରସି ଥିଲେ ଜନତା । ଏପରିକି ୨୦୧୯ ନିର୍ବାଚନରେ ମଧ୍ୟ ୫ ସାଂସଦଙ୍କୁ ନିର୍ବାଚିତ କରି ପଠାଇଥିଲେ । କିନ୍ତୁ ପ୍ରତିବଦଳରେ ପଶ୍ଚିମ ଓଡ଼ିଶାବାସୀଙ୍କ କେତୋଟି ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଉଠାଇଲେ ବିଜେପି ସାଂସଦ । ଜାତୀୟ ଦଳ କିମ୍ବା ଆଞ୍ଚଳିକ ଦଳର ପ୍ରସଙ୍ଗ ନୁହେଁ ବରଂ ଜିତିବା ପରେ ଜନପ୍ରତିନିଧି ଲୋକଙ୍କ ପାଇଁ କାମ କରୁଛନ୍ତି କି ନାହିଁ ତାହାର ହିସାବ ନିକାଶ କରୁଛନ୍ତି ଜନତା । ଆଉ ଏହାର ଜବାବ ଭୋଟରେ ଦେଉଛନ୍ତି । କିଛି ଏଭଳି କହି ପଶ୍ଚିମ ଓଡ଼ିଶାରେ ବିଜେପିର ବିଫଳତା ପଛର ସ୍ପଷ୍ଟ ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

Related Posts