କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବାପରେ ଆକ୍ସନ ମୁଡ୍‌ରେ ଖଡଗେ; ସିଡବ୍ଲୁସିକୁ ରଦ୍ଦ କରି ଗଠନ କଲେ ୪୭ ଜଣିଆ ଷ୍ଟିୟରିଙ୍ଗ୍ କମିଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ଗତକାଲି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଏହାପରେ ସେ ଆକ୍ସନ ମୁଡ୍‌ କୁ ଆସିଛନ୍ତି । ଖଡଗେ ବୁଧବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଆଗାମୀ ଦିନରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଛି । ଏହା ବ୍ୟତୀତ ସେ ଗତକାଲି କଂଗ୍ରେସ କାର୍ଯ୍ୟକାରୀ କମିଟି ( ସିଡବ୍ଲୁସି )କୁ ରଦ୍ଦ କରିଛନ୍ତି । ଏହା ବଦଳରେ ସେ ଏକ ଷ୍ଟିୟରିଙ୍ଗ୍ କମିଟି ଗଠନ କରିଛନ୍ତି ।

ଗତକାଲିର ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଗୁଜୁରାଟ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରୁଛି । ଦଳର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଖଡଗେଙ୍କ ଅଧ୍ୟକ୍ଷତାରେ ଏହା ପ୍ରଥମ ବୈଠକ ଥିଲା । ଏହି ବୈଠକରେ ସିଇସି ସଦସ୍ୟ ତଥା ମହାସଚିବ ମୁକୁଲ ୱାସନିକ ଏବଂ କେ.ସି ବେଣୁଗୋପାଳଙ୍କ ବ୍ୟତୀତ ଅମ୍ବିକା ସୋନି ଏବଂ ଗିରିଜା ବ୍ୟାସ ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ଗୁଜରାଟ କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ରଘୁ ଶର୍ମା ଏବଂ ଗୁଜୁରାଟ ପିସିସି ସଭାପତି ଜଗଦୀଶ ଠାକୁର ମଧ୍ୟ ଉପସ୍ଥିତ ଥିଲେ ।

ଗୁଜୁରାଟ ନିର୍ବାଚନ ପାଇଁ ଦଳ କିଛି ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବାର ସମ୍ଭାବନା ରହିଛି ଏବଂ ଏହାକୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଗୁଜୁରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘର ରାଜ୍ୟ ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛି କଂଗ୍ରେସ, ଯେଉଁଠାରେ ବିଜେପି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଅଛି ।

ଏହାସହିତ ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ରଦ୍ଦ କରି ଦେଇଛନ୍ତି। ସେ ଏହା ବଦଳରେ ଏକ ଷ୍ଟିୟରିଂ କମିଟି ଗଠନ କରିଛନ୍ତି ଯେଉଁଥିରେ ୪୭ ଜଣ ନେତାଙ୍କୁ ସ୍ଥାନ ଦିଆଯାଇଛି । ଏହି କମିଟିରେ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଖଡଗେଙ୍କ ଦ୍ୱାରା ଗଠିତ ଏହି କମିଟିରେ ପ୍ରିୟଙ୍କା ଗାନ୍ଧୀ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଆନନ୍ଦ ଶର୍ମା, କେ.ସି. ବେନୁଗୋପାଲ, ରଣଦୀପ ସୁରଜେୱାଲାଙ୍କ ଭଳି ଦଳର ବରିଷ୍ଠ ନେତାମାନେ ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି ।

Related Posts