
ସତ୍ୟପାଠ ବ୍ୟୁରୋ : କୋରାପୁଟ ଜିଲ୍ଲାପାଳ ଥିବା ପୋମା ଟୁଡୁଙ୍କୁ ନୟାଗଡ ବଦଳି କରାଯାଇଛି । ଅନେକଙ୍କ ପାଇଁ ଏହା ରାଜ୍ୟ ସରକାରଙ୍କ ଆଇଏଏସ୍ ସ୍ତରରେ ଏକ ଛୋଟ ଅଦଳବଦଳ ହୋଇପାରେ କିନ୍ତୁ ଏହା ଭିତରେ ଅନେକ କଥା ରହିଛି ଯାହା କେହି ହୁଏତ ଭାବିନଥିବେ । ସାରୁ ଭିତରେ ମାରୁ ଥିିବା ଭଳି ପୋମା ଟୁଡୁଙ୍କ ବଦଳି ପଛରେ ଏକ ସଂଗୀନ ଓ ସାଂଘାତିକ ଷଡଯନ୍ତ୍ର କରାଯାଇଛି ଯାହାର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରିତୀ ପାଇଁ କୋରାପୁଟର ଆଦିବାସୀମାନଙ୍କ ପାଇଁ କାମ କରିବା ପୂର୍ବରୁ ନୟାଗଡକୁ ବଦଳି ହୋଇଛନ୍ତି ପୋମା ଟୁଡୁ ।
ଲୋକପ୍ରିୟ କୋରାପୁଟ ଜିଲ୍ଳାପାଳ ପୋମା ଟୁଡୁ ଆଦିବାସୀ ସମ୍ପ୍ରଦାୟର ଝିଅ । ନୂଆପଡାରେ ୪କିମି ଦୁର୍ଗମ ପାହାଡ ଉପରକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ ଆଉ ଜାତୀୟ ସ୍ତରରେ ଓଡିଶା ପାଇଁ ସୁନାମ ଆଣିଥିଲେ । ଦି ବେଟର ଇଣ୍ଡିଆ ଡଟ୍ ଇନ ଅନୁଷ୍ଠାନ ତରଫରୁ ତାଙ୍କୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଆଇଏଏସ ଅଧିକାରୀ ଭାବେ ସମ୍ମାନିତ କରାଯାଇଥିଲା । କିନ୍ତୁ ମାତ୍ର ୨୩ ଦିନରେ ତାଙ୍କୁ କାର୍ଯ୍ୟରୁ ହଟାଇ ଦିଆଗଲା ।
କାର୍ଯ୍ୟରେ ଯୋଗ ଦେବା ପରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର କୋଡିଙ୍ଗମାଳି ଆନ୍ଦୋଳନ ତାଙ୍କ ନଜରକୁ ଆସିଥିଲା । ପ୍ରାୟ ୧୦ ଦିନ ଧରି ସ୍ଥାନୀୟ ଲୋକେ ଓଡିଶା ମାଇନିଙ୍ଗ କର୍ପୋରେସନର ବକ୍ସାଇଟ ପରିବହନକୁ ବନ୍ଦ କରି ଦେଇଥିଲେ । ଆନ୍ଦୋଳନ ସମ୍ପର୍କରେ ଜାଣିବା ପରେ ଗଲା ଶୁକ୍ରବାର ଜିଲ୍ଲାପାଳ ପୋମା ଟୁଡୁ ଏହି ଆନ୍ଦୋଳନକୁ ପ୍ରତିହତ କରିବାରେ ସଫଳ ହୋଇଥିଲେ ଆଉ ଆଶ୍ଚର୍ଯ୍ୟର କଥା ସେହି ଦିନ ସଂଧ୍ୟାରେ ତାଙ୍କୁ କୋରାପୁଟରୁ ବଦଳି କରିଦିଆଗଲା।
ବିଗତ ତିନିବର୍ଷ ଧରି ଓଏମସି ଏଠାରୁ ବକ୍ସାଇଟ ଉତ୍ତୋଳନ ଓ ପରିବହନ ପାଇଁ ବିରୋଧର ସାମ୍ନା କରୁଛି । ତେଣୁ ବକ୍ସାଇଟ ଉତ୍ତୋଳନ ଓ ପରିବହନ କାରବାର ବୁଝୁଛି ମୈତ୍ରୀ ଇନଫ୍ରା ନାମକ ବିଶାଖାପାଟଣାର ଏକ କମ୍ପାନୀ । ସ୍ଥାନୀୟ ଲୋକଙ୍କ କହିବା କଥା, ଖଣିରୁ ନିର୍ଗତ ମଇଳା ସେଠାକାର ପାଣିକୁ ଦୁଷିତ କରିଥିବା ବେଳେ, କ୍ଷେତରେ ଫସଲ ନଷ୍ଟ କରୁଛି । ଏନେଇ ଗ୍ରାମସଭା ପାଇଁ ଦାବି କଲେ ବି କେହି ଶୁଣୁ ନାହାଁନ୍ତି କି କେବେ ସେଠାରେ ଗ୍ରାମସଭା ହୋଇନାହିଁ । ତେବେ ଆଦିବାସୀ ଜିଲ୍ଲାର ପ୍ରଥମ କଲେକ୍ଟର ଭାବରେ ପୋମା ସ୍ଥାନୀୟ ଲୋକଙ୍କ କଥା ଶୁଣିଥିଲେ ଓ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବେଦାନ୍ତ ଆଲୁମିନା କୁ ଏହି କୋଡିଙ୍ଗମାଳି ଖଣିରୁ ବକ୍ସାଇଟ ଯାଏ । ବିଗତ ୧୦ବର୍ଷରେ ଏଠାରୁ କଂଚାମାଲ ନେବା ଯୋଗୁ ରାଜ୍ୟ ସରକାର ନିଜର ନଜର ହଟାଇ ନାହାଁନ୍ତି ଏହି ଖଣିରୁ । ସ୍ଥାନୀୟ ଲୋକଙ୍କ ବିକାଶ ବଦଳରେ ବିନାଶ ହେଉଥିବାରୁ ଏହାକୁ ବିରୋଧ କରି ଦୁଇ ବର୍ଷ ତଳେ ତିନିଜଣ ଗିରଫ ହୋଇଥିଲେ । କୁହାଯାଉଛି ବିଗତ ୧୯ବର୍ଷର ବିଜେଡି ସରକାରରେ କୋରାପୁଟ ଜିଲ୍ଲାର ବିକାଶ ପ୍ରତି ଆଖି ବୁଜି ଦେଇଛନ୍ତି ରାଜ୍ୟ ସରକାର । ଏଠାରେ ନିଯୁକ୍ତ ଜିଲ୍ଲାପାଳ ମାନେ ବର୍ଷେ କିମ୍ବା ୬ମାସ ତିଷ୍ଠୁଥିବା ବେଳେ ପୋମା ମାତ୍ର ୨୩ଦିନରେ ବଦଳି ହୋଇଗଲେ ।
୨୦୧୫ରେ ଜୟପୁର ଡିଭିଜନର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ପୁମା ଏଠାରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ତେଣୁ ଲୋକଙ୍କ ସହ ମିଶିବା ଓ ସେମାନଙ୍କ ସମସ୍ୟା ବୁଝିବା ତାଙ୍କ ପାଇଁ ସମସ୍ୟା ହୋଇ ନଥିଲା ଓ ସେ ଯୋଗ ଦେଉ ଦେଉ କାମରେ ଲାଗି ଯାଇଥିଲେ । କିନ୍ତୁ ସରକାର କମ୍ପାନୀ ପ୍ରିତୀ ପାଇଁ ପୁମା ଟୁଡୁଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଥିବା ଆଲୋଚନା ହେଉଛି ।
କହିବା ବାହୁଲ୍ୟ, ପୋମା ଟୁଡୁ ନୂଆପଡାରେ ଜିଲ୍ଲାପାଳ ଥିବା ବେଳେ ଜିଲ୍ଲା ହେଡକ୍ୱାର୍ଟର ଠାରୁ ୯୦ କିମି ଦୂର ସୋମପଦର ଗାଁକୁ ଲାଠି ଧରି ୪ କିମି ପାହାଡ ଚଢ଼ି ଲୋକଙ୍କ ସମସ୍ୟା ବୁଝିବାକୁ ଯାଇ ଚର୍ଚ୍ଚାକୁ ଆସିଥିଲେ । ୨୦୧୨ ଓଡିଶା କ୍ୟାଡର ଆଇଏଏସ ପୁମାଙ୍କ ମା’ ପ୍ରଥମ ଆଦିବାସୀ ଝିଅ ଭାବେ ସ୍କୁଲ, କଲେଜ ଯାଇଥିଲେ ଓ ବ୍ୟାଙ୍କ ଚାକିରୀ ପାଇଥିଲେ ।