
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ଏବେ ସକ୍ରିୟ ହେବାରେ ଲାଗିଛନ୍ତି। ଗୋଟିଏ ପରେ ଗୋଟିଏ ରାଜନୈତିକ ସଭା ଏବଂ ପଦଯାତ୍ରାରେ ସେ ଯୋଗ ଦେଉଛନ୍ତି। ଏହି କ୍ରମରେ ମଙ୍ଗଳବାର ଅପରାହ୍ନରେ ବିଧାୟକ ପାଣିଗ୍ରାହୀ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି। ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେ କହିଛନ୍ତି ଯେ, ବିଜୁ ପଟ୍ଟନାୟକ ତାଙ୍କ ସମୟରେ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ଏହି ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କଲେ। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେବା। ସେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ସେ ସବୁବେଳେ ମହିଳାମାନଙ୍କ ଉନ୍ନତି ଚାହାନ୍ତି। ୨୦୨୪ ମସିହାରେ ଜଣେ ଦକ୍ଷ ମହିଳାଙ୍କୁ ଓଡ଼ିଶାର ଶାସନ ଡୋରି ଦେବେ କି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି। ଯଦି ଏମିତି ହୁଏ ତେବେ ତାଙ୍କ ମନରେ ଥିବା ମହିଳାଙ୍କ ପାଇଁ ଦରଦକୁ ଲୋକମାନେ ବିଶ୍ଵାସ କରିବେ ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ବିଧାୟକ ପାଣିଗ୍ରାହୀ ଗୋପାଳପୁର ସହରରେ ଆୟୋଜିତ ଏକ ସାଧାରଣ ସଭାରେ ଏହି ପ୍ରଶ୍ନ କରିଛନ୍ତି। ଅଞ୍ଚଳର ଲୋକମାନଙ୍କ ସମସ୍ୟା ଶୁଣିବା ସହିତ ଆଗାମୀ ଦିନରେ ସେମାନଙ୍କ ସମସ୍ୟା ପାଇଁ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଗୋଟିଏ ପଟେ ବିଜେଡ଼ିରୁ ବହିଷ୍କୃତ ବିଧାୟକ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହେଉଥିବା ବେଳେ ଅନ୍ୟପଟେ ଏହାର ପ୍ରଭାବ ଗୋପାଳପୁର ବିଜେଡି ଉପରେ ପଡୁଥିବ ଦେଖିବାକୁ ମିଳିଛି। ଆଗାମୀ ଦିନରେ ବିଜେଡି ତରଫରୁ ପଦଯାତ୍ରା ଆୟୋଜିତ ହେବାକୁ ଯାଉଛି। ଏସବୁ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ଆଣି ବିଜେଡି ଶକ୍ତି ପ୍ରଦର୍ଶନ ପାଇଁ ଯୋଜନା କରୁଛି।