ବିରୋଧୀଙ୍କୁ ଏକାଠି କରିବା ଲକ୍ଷ୍ୟରେ ନୀତିଶ କୁମାର, ସେପ୍ଟେମ୍ବର ୫ରୁ ଦିଲ୍ଲୀ ଗସ୍ତ କରି ବିରୋଧୀ ନେତାଙ୍କ ସହ କରିବେ ବୈଠକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ଠାରୁ ସମ୍ପର୍କ ଛିନ୍ନ କରିବା ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଅଣ୍ଟା ଭିଡିଛନ୍ତି । ସେ ଚଳିତମାସ ୫ ତାରିଖରେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିବା ପରେ ଏବେ ସାରା ଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି ।କୁହାଯାଉଛି ଯେ, ନୀତିଶ ଦିଲ୍ଲୀରେ ପହଂଚିବା ପରେ କଂଗ୍ରେସର ଶୀର୍ଷ ନେତାଙ୍କ ସମେତ କିଛି ବିରୋଧୀ ଦଳର ନେତୃ ବୃନ୍ଦଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ନୀତିଶଙ୍କ ଏହି ଗସ୍ତକୁ ବିରୋଧୀଙ୍କୁ ଏକଜୁଟ କରିବାର ପ୍ରୟାସ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ମୁତାବକ ନୀତିଶ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ । ଏହି ସମୟ ମଧ୍ୟରେ ସେ ସୋନିଆ ଗାନ୍ଧୀଙ୍କ ସହ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ଭେଟି ସେମାନଙ୍କୁ ଏକଜୁଟ ହେବାକୁ ପରାମର୍ଶ ଦେବେ । ଏହାସହ ଆଗାମୀ ଦିନରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ନୀତିଶ କୁମାର ସାରା ଦେଶରେ ଏକ ଅଭିଯାନ ଚଳାଇବେ ବୋଲି କୁହାଯାଉଛି । ଏହି ଗସ୍ତକୁ ବିରୋଧୀଙ୍କୁ ଏକଜୁଟ କରିବା ଅଭିଯାନର ପ୍ରଥମ ପର୍ଯ୍ୟାୟ ଭାବେ ଦେଖା ଯାଉଛି ।

ଅନ୍ୟପଟେ ଆଜି ଠାରୁ ବିହାରରେ ଶାସକ ଜେଡିୟୁର ଦୁଇଦିନିଆ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ସାମୁହିକ ଭାବେ ବିଜେପିକୁ ମୁକାବିଲା କରିବା ସହ ବଢୁଥିବା ଦରଦାମ, ବେରୋଜଗାରୀ ଉପରେ ମୁଖ୍ୟତଃ ଚର୍ଚ୍ଚା ହେବ ।

Related Posts