ମା’ମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ଲୋକଙ୍କ କାମ କରିବ: ନବୀନ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବିଜେଡି ପାଳୁଛି ୨୫ତମ ପ୍ରତିଷ୍ଠା ଦିବସ। ଏଥିପାଇଁ ପୁରୀ ତାଳବଣିଆ ପଡିଆରେ ଆୟୋଜିତ ହୋଇଛି ବିଶାଳ ସମାବେଶ । ୫୦ ହଜାରରୁ ଉର୍ଦ୍ଧ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ଆଜିର ଏହି ସମାବେଶରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜିର ସଭାରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ନବୀନ ଲୋକଙ୍କ ପାଇଁ ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି। ପୁରୀଠାରେ ଆୟୋଜିତ ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ। ଓଡ଼ିଶାରେ ମାଆମାନଙ୍କୁ ମିଶନଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି। ମା’ ମାନଙ୍କ ଆଶୀର୍ବାଦ ରହିଲେ ଦଳ ୨୫ କି ୫୦ ବର୍ଷ ନୁହେଁ ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ବିଜେଡି ଲୋକଙ୍କ ପାଇଁ କାମ କରିବ । ମା’ମାନେ ଆସନ୍ତୁ ଓ ଓଡ଼ିଶାର ଦାୟିତ୍ବ ନିଅନ୍ତୁ ବୋଲି ନବୀନ ଆହ୍ୱାନ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରନ୍ତୁ। ଓଡ଼ିଶା ଅତୀତରେ କେଉଁଠି ଥିଲା ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି, ତାହା ସାରା ବିଶ୍ବ ଜାଣିଛି। ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦୋଳନ। ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମହିଳା ସଶକ୍ତିକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଆସୁଛି। ଓଡ଼ିଶାବାସୀ ଦୀର୍ଘ ବର୍ଷ ହେବ ଆମକୁ ସେବା କରିବାକୁ ସୁଯାେଗ ଦେଇଛନ୍ତି। ଏ ସୁଯାେଗ ଦେଇଥିବାରୁ ଆମେ ରାଜ୍ୟବାସୀଙ୍କ ନିକଟରେ ଋଣୀ। ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ଆମ ପାଇଁ ବଡ଼ ପୁଞ୍ଜି। ଯେଉଁମାନେ ଓଡ଼ିଶାର ବିକାଶ ଚାହାଁନ୍ତି, ସେମାନେ ବିଜେଡିରେ ମିଶନ୍ତୁ। ତେଣିକି ସେମାନେ ଯେଉଁ ବୃତ୍ତିରେ ଥାଆନ୍ତୁ। ଜାତୀୟଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ହେଲେ ଓଡ଼ିଶା ନୁହେଁ ବୋଲି ବି ନବୀନ ପଟ୍ଟନାୟକ କହିଛନ୍ତି।

Related Posts