
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଏମସି ନିର୍ବାଚନରେ ପ୍ରଥମଥର କରି ୬୭ ୱାର୍ଡରୁ ୪୨ ଜଣ ମହିଳା କର୍ପୋରେଟର ନିର୍ବାଚିତ ହୋଇଛନ୍ତି । କେବଳ ଏତିକି ନୁହେଁ ବରଂ ମହିଳାଙ୍କୁ ମର୍ଯ୍ୟାଦା ଦେବା ପାଇଁ ଏଥର ଡେପୁଟି ମେୟର ପଦ ମଧ୍ୟ ମହିଳାଙ୍କୁ ଦିଆଯାଇଛି । ଆଉ ସେପଟେ ମେୟର ମଧ୍ୟ ଜଣେ ମହିଳା । ମହିଳାମାନେ ନିର୍ବାଚିତ ହୋଇ ଆସିବା ପରେ ଲାଗୁଥିଲା ଯେ ରାଜ୍ୟରେ ମହିଳା ସଶକ୍ତୀକରଣ ହେବାକୁ ଯାଉଛି । ପୁରୁଷଙ୍କ ଠାରୁ ମହିଳାମାନେ ମଧ୍ୟ କିଛି କମ ନୁହନ୍ତି । ମେୟରଙ୍କ ନେତୃତ୍ୱରେ ନିର୍ବାଚିତ ମହିଳାମାନେ ଶାସନର ମଙ୍ଗ ଧରିବେ ବୋଲି ଅନୁମାନ କରାଯାଉଥିଲା । ହେଲେ ଏହା କେବଳ ଅନୁମାନ ହୋଇ ରହିଯାଇଛି । କାହିଁକିନା କର୍ପୋରେଟରମାନଙ୍କର ଶପଥ ନେବାର ୨୦ ଦିନ ଭିତରେ କେତେକ ମହିଳା କର୍ପୋରେଟରଙ୍କ ଅସଲ କଥା ପଦାରେ ପଡ଼ିଗଲା । ପୂର୍ବରୁ ଯେତିମି ସେମାନେ ରବର ଷ୍ଟାମ୍ପ ଥିଲେ ଏବେ ବି ସେମାନେ ରବର ଷ୍ଟାମ୍ପ ବୋଲି ପ୍ରମାଣିତ କରିଥିଲେ । ସେମାନେ ପୂର୍ବପରି ଘରେ ବସିଲେ ଆଉ ସ୍ୱାମୀମାନେ ୱାର୍ଡର ଉନ୍ନତି ପାଇଁ ରାସ୍ତାକୁ ଓହ୍ଲାଇଲେ । ଏପରିକି ଖୋଦ ମେୟରଙ୍କ ସହ ୱାର୍ଡରେ ବୁଲି ଲୋକଙ୍କ ଦୁଃଖ ବୁଝିଲେ । ମେୟର ସୁଲୋଚନା ଦାସ ୩୭, ୩୮ ଓ ୩୯ ନମ୍ବର ୱର୍ଡ ପରିକ୍ରମା କଲାବେଳେ ଏଭଳି ଚିତ୍ର ସାମ୍ନାକୁ ଆସିଥିଲା ।
୩୭ ନମ୍ବର କର୍ପୋରେଟର ବନ୍ଦିତା ପାଲଙ୍କ ସ୍ୱାମୀ ଅର୍ଜୁନ ବେହେରା, ୩୮ ନମ୍ବର ର ପଦ୍ମଜା ପ୍ରିୟଦର୍ଶନୀ ଜେନାଙ୍କ ସ୍ୱାମୀ ସୌମେନ୍ଦ୍ର ଜେନା ଓ ୩୯ ନମ୍ବର ୱାର୍ଡ କର୍ପୋରେଟର ଗୀତାଞ୍ଜଳି ସାହୁଙ୍କ ସ୍ୱାମୀ ବିଷ୍ଣୁପ୍ରସାଦ ସାହୁ ମେୟରଙ୍କ ସହ ୱାର୍ଡରେ ବୁଲି ବିଭିନ୍ନ ସମସ୍ୟା ଓ ତାର ସମାଧାନର ବାଟ ମେୟରଙ୍କୁ ଦେଖାଉଛନ୍ତି । ଏଇଠି ପ୍ରଶ୍ନ ଉଠୁଛି ଯେ ଆଉ କେତେଦିନ ମହିଳାମାନେ କେବଳ ରବର ଷ୍ଟାମ୍ପ ହୋଇ ରହିବେ ? କେବେ ଏହି ନିର୍ମାଚିତ ପ୍ରତିନିଧିମାନେ ଶାସନର ମଙ୍ଗ ଧରିବେ ? ଆଉ କେତେଦିନ ରବର ଷ୍ଟାମ୍ପ ହୋଇ ଖାଲି ବୈଠକରେ ବସୁଥିବେ ଓ ସ୍ୱାମୀମାନେ ଏଭଳି ରାଜନୀତି କରୁଥିବେ ? ଏହା କଣ ମହିଳା ସଶକ୍ତୀକରଣ ବୋଲି ବର୍ତ୍ତମାନ ପ୍ରଶ୍ନ ଉଠିବାରେ ଲାଗିଛି । ଏ ଖବର ସାମ୍ନାକୁ ଆସିବା ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।