‘ଧାମନଗର ବିକାଶର ଦାୟିତ୍ୱ ମୋର’; ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲରେ ପ୍ରଚାର କଲେ ନବୀନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଉ ହାତରେ ଗୋଟିଏ ଦିନ । ତିନିଦଳର ଘନ ଘନ ମାରାଥନ ହାଇଭୋଲଟେଜ୍ ପ୍ରଚାରରେ ଧାମନଗର କମ୍ପୁଛି । ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦଳର ସୁପ୍ରିମୋ ଭର୍ଚୁଆଲ ମୋଡରେ ପ୍ରଚାର କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ମିଶନଶକ୍ତି ମହିଳାମାନଙ୍କୁ ନୂଆ ପରିଚୟ ଦେଇଛି । ସେଥିପାଇଁ ମୁଁ ଚାଁହୁଛି ଜଣେ ମା ବିଧାୟକ ହୁଅନ୍ତୁ । ଗତ ପଞ୍ଚାୟତ ନିର୍ବାଚନରେ ଧାମନଗରବାସୀ ୬ଟି ଜିଲ୍ଲାପରିଷଦ ଜୋନରେ ବିଜେଡ଼ିକୁ ସେବା କରିବାର ସୁଯୋଗ ଦେଇଛନ୍ତି । ମୋର ବିଶ୍ୱାସ ଆପଣମାନେ ଏହି ଧାରାକୁ ଜାରି ରଖିବେ । ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ମୋର ବୋଲି ନବୀନ ଭୋଟରଙ୍କୁ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ବାକି ରହିଛି । ଏହି ୧୮ ମାସରେ ଆମେ ୫ ବର୍ଷର କାମ କରିପାରିବା । ଧାମନଗର ଅଂଚଳର ବିକାଶ ନେଇ ମୁଁ ନିଜେ ଏହାକୁ ଦେଖିବି । ଧାମନଗର ଅଞ୍ଚଳର ବିକାଶ ଦାୟିତ୍ୱ ମୋର, ଧାମନଗର ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଆସନ୍ତାକାଲି ପ୍ରଚାରର ଶେଷ ଦିନର ଧୁସୁରିର ବାସନ୍ତି ପଡିଆରେ ଜନସଭାକୁ ସମ୍ବୋଧିତ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ସଭାକରି ବିଜେଡ଼ି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ପ୍ରଚାର କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରଚାରକୁ ଆସନ୍ତାକାଲି କାଉଣ୍ଟର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅକ୍ଟୋବର ୨୮ ଓ ଅକ୍ଟୋବର ୨୯ ଦୁଇ ଦିନ ଧରି ଧାମନଗର ବ୍ଲକର ଦୋବଲ ବଜାର, ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ପଞ୍ଚାୟତ ଓ ଅସୁରାଳୀରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିଥିଲେ ।

ଅନ୍ୟପଟେ ପ୍ରଚାର ପାଇଁ ହାତରେ ଆଉ ଅଳ୍ପ ସମୟ ରହିଥିବା ବେଳେ କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀ ମାନେ ମଧ୍ୟ ନିଜ ନିଜ ପ୍ରଚାରରେ ଲାଗି ପଡିଛନ୍ତି। ଏହି ଅବସରରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଓ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି।

Related Posts