ବିନା ଟେଷ୍ଟରେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ

ମଧ୍ୟପ୍ରଦେଶ(ସତ୍ୟପାଠ ବ୍ୟୁରୋ): ବିନା ପରୀକ୍ଷାରେ କରୋନା ପଜିଟିଭ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଛତ୍ରପୁର ଠାରେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହା ସହ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଛତ୍ରପୁର ଜିଲ୍ଲାର ଗୌରି ହାରରେ ରହୁଥିବା ୬୦ ବର୍ଷୀୟ ରାମପ୍ୟାରୀ ପଟେଲଙ୍କୁ କରୋନା ପଜିଟିଭ ବୋଲି ଘୋଷଣା କରାଯାଇ ତାଙ୍କ ଘରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିଲା ।

କଣ୍ଟେନମେଣ୍ଟ ଏରିଆର ପୋଷ୍ଟର ଘର ବାହାରେ ମଧ୍ୟ ମରାଯାଇଥିଲା । ସେପଟେ ଗତ ୫ ମାସ ହେଲା ରାମପ୍ୟାରୀ ଡାକ୍ତରଖାନା ଯାଇ ନାହାନ୍ତି କିମ୍ବା କୌଣସି ପ୍ରକାରର ନମୁନା ପରୀକ୍ଷା ମଧ୍ୟ କରି ନାହାନ୍ତି । ହେଲେ ସ୍ୱାସ୍ଥ୍ୟ ବିଭାଗର ସରକାରୀ ରିପୋର୍ଟ ଅନୁସାରେ ରାମପ୍ୟାରୀ ପଟେଲ ଜାନୁଆରୀ ୫ ତାରିଖରେ ଗୌରୀ ହାର ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି କରୋନ ପାଇଁ ପରୀକ୍ଷା କରିଛନ୍ତି । ପରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ଘରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।

ଏହା ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ରାମପ୍ୟାରୀ ୫ ମାସ ପୂର୍ବରୁ ଆଖି ଚଷମା ପାଇଁ ଡାକ୍ତରଖାନା ଯାଇଥିଲେ । ଏହା ପରେ ସେ କୌଣସି ପ୍ରକାର ଅସୁସ୍ଥ ହୋଇ ନାହାନ୍ତି କିମ୍ବା ଆଉ ଡାକ୍ତରଖାନା ଯାଇ ନାହାନ୍ତି । ଏ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେପଟେ ଗୌରୀହାର ବ୍ଲକର ମେଏଡିକାଲ ଅଫିସର ଡ. ଏସ. ପ୍ରଜାପତି ସୂଚନା ପାଇବା ପରେ କର୍ମଚାରୀଙ୍କୁ ତାଗିଦ କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବାସ୍ତବାରେ ବିନା ପରୀକ୍ଷାରେ କରୋନା ପଜିଟିଭ ରିପୋର୍ଟ ପ୍ରକାଶ ପାଇବା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି ।

Related Posts