ବିଶ୍ୱକପ ଫାଇନାଲ; ଅର୍ଦ୍ଧଶତକ ପରେ ବିରାଟ ଆଉଟ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶ୍ୱକପ ଫାଇନାଲରେ ଭାରତକୁ ଲାଗିଛି ସବୁଠାରୁ ବଡ଼ ଝଟକା। ଆଉଟ ହୋଇଯାଇଛନ୍ତି ଭାରତର ଇନଫର୍ମ ବ୍ୟାଟର ବିରାଟ କୋହଲି। ସେ ୫୪ ରନ କରି ଆଜି ଆଉଟ ହୋଇଛନ୍ତି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନସଙ୍କ ବଲକୁ ସେ ଥାର୍ଡ ମ୍ୟାନ ଅଞ୍ଚଳରେ ଖେଳିବାକୁ ଚେଷ୍ଟା କରୁଥିଲେ। ହେଲେ ବଲ ଇନସାଇଡ୍‌ ଏଡଜ ହୋଇ ସିଧା ୱିକେଟରେ ମାଡ଼ ହୋଇଥିଲା ଓ ବିରାଟ ବୋଲ୍ଡ ହୋଇଯାଇଥିଲେ।

ବିରାଟ ଆଉଟ ହେବା ପରେ ପୂରା ନରେନ୍ଦ୍ର ମୋଦି ଷ୍ଟାଡିୟମ ଶାନ୍ତ ହୋଇଯାଇଥିଲା। ପାଖାପାଖି ଏକ ଲକ୍ଷ ତିରିଶ ହଜାର ଲୋକ ଷ୍ଟାଡିୟମରେ ଉପସ୍ଥିତ ଥିଲେ ମଧ୍ୟ ସମସ୍ତେ ପୂରା ସ୍ତବ୍ଧ ହୋଇଯାଇଥିଲେ। ବିରାଟ ଆଉଟ ହେବା ସହ ଭାରତକୁ ୧୪୮ ରନରେ ୪ର୍ଥ ଝଟକା ଲାଗିଛି। ଏବେ ସବୁ କିଛି କେଏଲ ରାହୁଲଙ୍କ ଉପରେ ନିର୍ଭର କରୁଛନ୍ତି। ତାଙ୍କୁ ସାଥ ଦେବାକୁ ରବୀନ୍ଦ୍ର ଜାଡେଜା ଆସିଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫାଇନାଲ ଖେଳୁଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ହାରି ଭାରତ ପ୍ରଥମେ ବ୍ୟାଟିଂ କରୁଛି।

ପ୍ରଥମ ୱିକେଟ ଦଳ ୩୦ ରନରେ ହରାଇବା ପରେ ବିରାଟ ବ୍ୟାଟିଂ କରିବାକୁ ଆସିଥିଲେ। ସେ ସ୍ଥିତି ସମ୍ଭାଳିବା ସହ ଭାରତର ସ୍କୋରକୁ ଆଗକୁ ନେଇଥିଲେ। ୫୬ ବଲରେ ବିରାଟ ଅର୍ଦ୍ଧଶତକ କରିଥିବା ବିରାଟଙ୍କ ଠାରୁ ସମସ୍ତେ ବଡ଼ ଇନିଂସର ଆଶା ରଖିଥିଲେ। କିନ୍ତୁ ସେ ୬୩ ବଲରେ ୫୪ ରନ କରି ଆଉଟ ହୋଇଛନ୍ତି।

ପୂର୍ବରୁ ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ ପ୍ରଥମେ ଆଉଟ୍‌ ହୋଇଥିଲେ। ଗିଲ୍‌ ୭ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ୍‌କୁ ଫେରି ଆସିଥିଲେ। ଭାରତୀୟ ଟିମ୍‌କୁ ସ୍କୋର ୩୦ ରନ୍‌ରେ ପ୍ରଥମ ଝଟକା ଲାଗିଥିବା ବେଳେ ୭୬ ରନ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। କିନ୍ତୁ ରୋହିତ ପାଭିଲିଅନ୍‌କୁ ଫେରିବା ପୂର୍ବରୁ ୩୧ଟି ବଲ୍‌ ସାମ୍ନା କରି ୪ଟି ଚୌକା ଓ ୩ଟି ଛକା ବଳରେ ୪୭ ରନ୍‌ ସଂଗ୍ରହ କରିଥିଲେ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତକୁ ୮୧ ରନ୍‌ରେ ତୃତୀୟ ଝଟକା ଲାଗିଥିଲା। ଯୁବ ବ୍ୟାଟର ଶ୍ରେୟସ ଆୟର କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ସେ ୩ଟି ବଲ୍‌ ସାମ୍ନା କରି ଗୋଟିଏ ‌ଚୌକା ମାରିଥିଲେ।

Related Posts