
ଦିଲ୍ଲୀ ପୋଲିସ୍ ଏକ ଏମିତି ଚତୁର ଠକକୁ ଗିରଫ କରିଛି ଯାହାର କାରନାମା ଶୁଣିଲେ ଆପଣ ବି ଚକିତ ହୋଇଯିବେ । 57 ବର୍ଷର ଏହି ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମରେ ହଜାର ହଜାର ଗରିବ ଲୋକଙ୍କୁ କୋଟି କୋଟି ଟଙ୍କାର ଚିତା କାଟିଛି । ଏହି ଠକ ଏ ଯାଏଁ ପ୍ରାୟ 2000 ଲୋକଙ୍କଠାରୁ 3 କୋଟିରୁ ଅଧିକ ଟଙ୍କାର ଠକେଇ କରିସାରିଛି ।
କ୍ରାଇମବ୍ରାଞ୍ଚ ଅନୁସାରେ, ଫରିଦାବାଦର ବାସିନ୍ଦା ରାଜେନ୍ଦ୍ର କୁମାର ତ୍ରିପାଠୀ ଦିଲ୍ଲୀର ନେହେରୁ ପ୍ଲେସ୍ରେ ଏକ ଟ୍ରଷ୍ଟର ଅଫିସ୍ ଖୋଲିଥିଲା । ଯାହାର ନାମ ସେ ନ୍ୟାସନାଲ୍ ହାଉସିଂ ଡେଭଲେପମେଣ୍ଟ ଅର୍ଗାନାଇଜେସନ୍ ରଖିଥିଲା ।
ଅଭିଯୁକ୍ତ ଏକ ୱେବ୍ସାଇଟ୍ ମଧ୍ୟ କରିଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରଖାଯାଇଥିଲା । ଏହା ପରେ ସେ ଗରିବ ଶ୍ରେଣୀର ଲୋକଙ୍କୁ ମିଛରେ ଆବାସ ଯୋଜନା ନାଁରେ ଠକି ଚାଲିଥିଲା ।
ପୋଲିସ ଅନୁସାରେ ଅଭିଯୁକ୍ତ ରାଜେନ୍ଦ୍ର ମୂଳତଃ ଗୋରଖପୁରର ବାସିନ୍ଦା । ସେ କମର୍ସରେ ଗ୍ରାଜୁଏସନ୍ କରିଛି । ପ୍ରାରମ୍ଭରେ ସେ ଏଲ୍ଆଇସି ନାମରେ ଏକ ଏନ୍ଜିଓ ଖୋଲିଥିଲା ଏବଂ ଗ୍ରାମୀଣ ଅଞ୍ଚଳର ମହିଳାଙ୍କଠାରୁ ଭିନ୍ନ ଭିନ୍ନ ଯୋଜନାରେ ଟଙ୍କା ଆଣି ସେମାନଙ୍କୁ ଠକି ଦେଉଥିଲା । କିନ୍ତୁ ତାର ଏ କାରନାମା ବାବଦରେ ଲୋକେ ଜାଣିବାକୁ ଆରମ୍ଭ କଲେ । ତା ବିରୋଧରେ ମାମଲା ରୁଜୁ ହେଲା ।
ଠକାମିର ସେହି ଦୋକାନ ବନ୍ଦ ହେବା ପରେ ରାଜେନ୍ଦ୍ର ଠକାମି ପାଇଁ ନିଜର ଦ୍ବିତୀୟ ଦୋକାନ ଖୋଲିଦେଲା । ତାହା ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲୋକଙ୍କୁ ଘର ଯୋଗାଇବା । ଅଭିଯୁକ୍ତ ଏଥିରେ ପ୍ରାୟ 2000 ଗରିବ ଲୋକଙ୍କଠାରୁ ପ୍ରାୟ 3 କୋଟି ଟଙ୍କା ଠକି ନେଇଛି ।
ପୋଲିସ୍ କହିବା ଅନୁସାରେ 57 ବର୍ଷୀୟ ରାଜେନ୍ଦ୍ର ଠକାମିରେ ଓସ୍ତାଦ । ସେ ରାଷ୍ଟ୍ରୀୟ ଆବାସ ଦିବସରେ ବିଜ୍ଞାପନର ଟେଣ୍ଡର ଦେବା ପାଇଁ ବି ଲୋକଙ୍କୁ ଠକିଛି । ଟେଣ୍ଡର ଦେବା ନାମରେ ସେ ପ୍ରାୟ 4ଟି କମ୍ପାନୀଠାରୁ ଏକ କୋଟି ଟଙ୍କା ଠକି ନେଇଛି ।