ପଟ୍ଟାମୁଣ୍ଡାଇ : ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ପରେ ଆଜି ଖୋଲିଛି ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ଋତୁ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିଲା ବେଳେ ଆଜି ଭିତରକନିକା ଖୋଲିଛି। ଭିତରକନିକା ଖୋଲୁଥିବାରୁ ଏଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୁପ୍ତି ଓ ଡାଙ୍ଗମାଳରେ ପର୍ଯ୍ୟଟକମାନେ ରାତ୍ରିଯାପନ କରିପାରିବେ । ଏଥିପାଇଁ ୱେବସାଇଟ୍‌ ଖୋଲା ଅଛି । ମାତ୍ର ହବାଳିଖଟିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

ପୂର୍ବରୁ କେବଳ ରାତ୍ରିଯାପନ କରୁଥିବା ପର୍ଯ୍ୟଟକମାନେ ହବାଳିଖଟି ଯାଉଥିଲେ । ହବାଳିଖଟିରେ ଥିବା ଡଲଫିନ୍‌ ହାଉସ ନିକଟକୁ ସମୁଦ୍ର ମାଡ଼ି ଆସିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କିଛିଦିନ ପର୍ଯ୍ୟନ୍ତ ହବାଳିଖଟିରେ ରାତ୍ରିଯାପନ ବନ୍ଦ କରାଯାଇଛି । ବର୍ଷା ଦିନେ ସମୁଦ୍ର ଅଧିକ ଅଶାନ୍ତ ରହୁଥିବାରୁ ବନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହାବାଦ୍‌ ଭିତରକନିକାକୁ ପଲିଥିନ ମୁକ୍ତ କରିବାକୁ ପର୍ଯ୍ୟଟକମାନଙ୍କୁ ସଚେତନ କରାଯିବ । ଭିତରକନିକା ଯେପରି ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ମୁକ୍ତ ଜାତୀୟ ଉଦ୍ୟାନ ହେବ, ସେଥିପାଇଁ ସବୁସ୍ତରରେ ସଚେତନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକମାନେ ପଲିଥିନ ଭିତରକୁ ନେଇ ଏଣେ ତେଣେ ଫୋପାଡ଼ିବା ସହ ନଦୀ ନାଳରେ ମଧ୍ୟ ଫିଙ୍ଗୁଥିଲେ । ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ୍‌କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।