ରାଜସ୍ଥାନ(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନ ଶିକ୍ଷକ ଯୋଗ୍ୟତା ପରୀକ୍ଷାର ଲିକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ସରକାର ମାଧ୍ୟମିକ ଶିକ୍ଷା ବୋର୍ଡର ଚେୟାରମ୍ୟାନ୍ ଡକ୍ଟର ଧର୍ମପାଳ ଜାରୌଲିଙ୍କୁ ବରଖାସ୍ତ କରି ବୋର୍ଡର ସଚିବ ଅରବିନ୍ଦ କୁମାର ସେଙ୍ଗୱାଙ୍କୁ ନିଲମ୍ବିତ କରିଛନ୍ତି। ଏହା ସହ ପରୀକ୍ଷାରେ ଉପସ୍ଥିତ ଥିବା କୌଣସି ପ୍ରାର୍ଥୀଙ୍କ ସହିତ ଅନ୍ୟାୟ ହେବାକୁ ଦିଆଯିବ ନାହିଁ ବୋଲି ଅଶୋକ ଗେହଲୋଟ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଦୁଷ୍କର୍ମ, ଲାପ୍ସ ଏବଂ ଡ୍ୟୁଟିରେ ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଅଶୋକ ଗେହଲୋଟ ସ୍ପଷ୍ଟ କରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ସିଏମ୍ ଗେହଲୋଟ୍ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ବୋର୍ଡର ଚେୟାରମ୍ୟାନ୍ ଡକ୍ଟର ଧର୍ମପାଳ ଜାରୌଲିଙ୍କୁ ବରଖାସ୍ତ କରିବା ଏବଂ ସଚିବ ଅରବିନ୍ଦ କୁମାର ସେଙ୍ଗୱାଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୪ ଫେବୃଆରୀ ୨୦୨୦ ରେ ଜାରୌଲି ୩ ବର୍ଷ ପାଇଁ ନିଯୁକ୍ତ ହୋଇଥିଲେ । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇ ଉଠିଛି । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପରୀକ୍ଷା ଅନୁଷ୍ଠାନର ବିଶ୍ୱସନୀୟତା ବଜାୟ ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ତେଣୁ ସିବିଆଇ ଦ୍ୱାରା ଅନୁସନ୍ଧାନ ହେଉଛି ଏକମାତ୍ର ବିକଳ୍ପ । ସେପଟେ ରିଟ୍ ପରୀକ୍ଷାରେ ଅନୀୟମିତତାର ସୂଚନା ପାଇବା ପରଠାରୁ ଏସଓଜି ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଅନୁସନ୍ଧାନ କରିଛି। ସରକାର ଏସଓଜିକୁ ଏହାର ତଦନ୍ତ କରିବା ପାଇଁ ଫ୍ରି ହ୍ୟାଣ୍ଡ ଛାଡ଼ି ଦେଇଛନ୍ତି । ଏହି ମାମଲାରେ ଜଡିତ ଲୋକଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ପଚରାଉଚରା କରାଯାଉଛି ଏବଂ ସାମ୍ନାକୁ ଆସିଥିବା ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ।