ଆଜି ଦ୍ୱିତୀୟ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଆଜି ଦ୍ୱିତୀୟ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ। ଆଜିଠାରୁ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ସେକେଣ୍ଡ ଇନିଂସ ଆରମ୍ଭ ହେବ ।

ତେବେ ଏନେଇ ଜୋର୍ ର୍ସୋରରେ ପ୍ରସ୍ତୁତି ଚାଲିଥିବା ବେଳେ, ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡ଼ିୟମରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଛି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହେବେ ବୋଲି ଜଣାପଡିଛି।

ସେହିପରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ଶପଥଗ୍ରହଣ ସମାରୋହକୁ ନିମନ୍ତ୍ରଣ କରାଯାଇଛି । ଏପରିକି ବିଏସପି ସୁପ୍ରିମୋ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖଙ୍କୁ ବି ନିମନ୍ତ୍ରଣ କରାଯାଇଛି । ୟୁପି ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଯୋଗୀ ଓ ମୋଦିଙ୍କ ପୋଷ୍ଟର ସାଙ୍ଗକୁ ହୋର୍ଡିଂ ଛାଇଯାଇଛି ।

ଆଜି ଅପରାହ୍ନ ୪ଟାବେଳେ ଶପଥ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଗତକାଲି ୟୁପି ବିଧାୟକ ଦଳର ବୈଠକରେ ଯୋଗୀ ଆଦିତ୍ୟନାଥଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ଏହାପରେ ରାଜ୍ୟପାଳଙ୍କୁ ଭେଟିଥିଲେ ଯୋଗୀ ଆଦିତ୍ୟନାଥ ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଥିବା ବିଧାୟକଙ୍କ ନାଁ ରାଜଭବନକୁ ପଠାଯାଇଛି । ଦଳର କାର୍ଯ୍ୟାଳୟରେ ମଧ୍ୟ କର୍ମୀଙ୍କ ଆଗମନ ଦେଖିବାକୁ ମିଳିଲାଣି ।

ଗୁରୁବାର ଲକ୍ଷ୍ନୌରେ ବିଜେପି ବିଧାୟକ ଦଳର ବୈଠକ ବସିଥିଲା । ସେଥିରେ ବିଜେପିର ନବନିର୍ବାଚିତ ବିଧାୟକ ଓ ବିଧାନ ପରିଷଦର ସଦସ୍ୟ ଯୋଗ ଦେଇଥିଲେ । ଏହାସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ୟୁପି ବିଧାନସଭା ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ରାଧାମୋହନ ସିଂହ, କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ଆଦିତ୍ୟନାଥ ରାଜଭବନ ଯାଇ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ । ନେତା ନିର୍ବାଚିତ ହେବା ପରେ ଦଳୀୟ ବିଧାୟକଙ୍କୁ ସମ୍ବୋଧନ କରି ଯୋଗୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମୋ’ ଉପରେ ପୁଣିଥରେ ଭରସା ସ୍ଥାପନ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଅର୍ପଣ କରୁଛି । ଆମ ସରକାର କୌଣସି ଭେଦଭାବ ବିନା ସାଧାରଣ ଜନତାଙ୍କ ନିକଟରେ ବିଭିନ୍ନ ଯୋଜନା ପହଞ୍ଚାଇଛି । ଆଗକୁ ବି ଲୋକଙ୍କ ମଙ୍ଗଳ ଲାଗି କାମ କରିବାକୁ ପଡ଼ିବ ବୋଲି ସେ ବିଧାୟକଙ୍କ ଉଦ୍ଦେଶ୍ୟରେ କହିଥିଲେ ।

Related Posts