ଇସ୍ତଫା ପ୍ରତ୍ୟାହାର କଲେ ଯୋଗୀ କ୍ୟାବିନେଟର ମନ୍ତ୍ରୀ ତଥା ଦଳିତ ନେତା ଦିନେଶ ଖଟିକ୍

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଦୁଇଦିନ ପୂର୍ବରୁ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଦିନେଶ ଖଟିକ୍ ନିଜ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି। ଗୁରୁବାର ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ଭେଟିବା ପରେ ନିଜ ଇସ୍ତଫା ପ୍ରତ୍ୟାହାର କରିନେଇଛନ୍ତି ଏବଂ ନିଜ ପଦରେ ରହି ଆଗକୁ କାର୍ଯ୍ୟ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ ଦିନେଶ ଖଟିକ୍। ଏହାପରେ ଉତ୍ତର ପ୍ରଦେଶର ରାଜନୈତିକ ମାହୋଲ୍ ସରଗରମ ହୋଇ ଉଠିଥିଲା। ନିଜ ଇସ୍ତଫା ପତ୍ରରେ ଖଟିକ୍ ଲେଖିଥିଲେ ଯେ ସେ ଜଣେ ଦଳିତ ହୋଇଥିବାରୁ ତାଙ୍କୁ ତାଙ୍କ ମନ୍ତ୍ରଣାଳୟ ରେ କେହି ଗୁରୁତ୍ଵ ଦେଉନାହାନ୍ତି। ଏପରିକି ଅଧିକାରୀ ମାନେ ତାଙ୍କ ନିର୍ଦ୍ଦେଶ ମାନୁନଥିବା ଇସ୍ତଫା ପତ୍ରରେ ସେ ଲେଖିଥିଲେ।

ଏହାପରେ ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପରେ ସେ ନିଜ ଇସ୍ତଫା ପ୍ରତ୍ୟାହାର କରିନେଇଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟ ବିଜେପି ମୁଖ୍ୟ ତଥା ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ସ୍ଵତନ୍ତ୍ର ଦେବ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏହି ସାକ୍ଷାତକାର ପରେ ଖଟିକ୍ କହିଛନ୍ତି “ମୁଁ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ସମସ୍ତ ବିଷୟ ରଖିଛି, ସେ ମଧ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବର୍ତ୍ତମାନ ମୁଁ ମୋର ପଦରେ ରହି କାର୍ଯ୍ୟ ଜାରି ରଖିବି”।

ସୂଚନା ଅନୁଯାୟୀ ଦିନେଶ ଖଟିକ୍ ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ୩ଜଣ ମନ୍ତ୍ରୀ ମଧ୍ୟ ଦୀର୍ଘଦିନ ହେବ ସରକାରରେ ଖୁସି ନଥିବା ଚର୍ଚ୍ଚା ହେଉଥିଲା। ଏହାପରେ ଖଟିକ୍ ଇସ୍ତଫା ଦେବାପରେ ଉତ୍ତରପ୍ରଦେଶ ରାଜନୀତି ସରଗରମ ହୋଇଉଠିଥିଲା।

Related Posts