
2019କୁ ସମସ୍ତେ ସ୍ବାଗତ କଲେ । କିନ୍ତୁ ନୂଆ ବର୍ଷରେ ଅନେକ କିଛି ବଦଳି ଯାଇଛି । ଆପଣ ବ୍ୟାଙ୍କର ଚେକ୍ ବୁକ୍, ଡେବିଟ୍ ବା କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ଗାଡ଼ି ବ୍ୟବହାର କରୁଛନ୍ତି, ଅନ୍ଲାଇନ୍ ସପିଂ କରୁଛନ୍ତି ତ ଏ ସମ୍ପର୍କିତ ଅନେକ କିଛି ନିୟମରେ ପରିବର୍ତ୍ତନ ହୋଇଛି ।
ସବୁଠାରୁ ପ୍ରଥମେ ଜାଣିନେବା ଚେକ୍ ବୁକ୍ ବାବଦରେ । ସାରା ଦେଶର ସବୁ ବ୍ୟାଙ୍କ ନନ୍ ସିଟିଏସ୍ ଚେକ୍ ଆଉ ନେବେ ନାହିଁ ।
ଏବେ କେବଳ ସିଟିଏସ୍ ଚେକ୍ ଅର୍ଥାତ୍ ଚେକ୍ ଟ୍ରଙ୍କେଶନ ସିଷ୍ଟମ ବିଶିଷ୍ଟ ଚେକ୍ ନେବେ ।
ଡେବିଟ୍ ବା ଏଟିଏମ୍ କାର୍ଡର କଥା କହିଲେ ପୁରୁଣା ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ଡେବିଟ୍ ବା କ୍ରେଡିଟ୍ କାର୍ଡ ଆଉ କାମ କରିବ ନାହିଁ ।
ଏବେ କେବଳ ଇଏମ୍ବି ଚିପ୍ ଥିବା ଡେବିଟ୍ ବା କ୍ରେଡିଟ୍ କାର୍ଡ ହିଁ କାମ କରିବ । ଜାଲିଆତିରୁ ରକ୍ଷା ପାଇଁ ଏହି ଚିପ୍ ବିଶିଷ୍ଟ ନୂଆ କାର୍ଡର ଆରମ୍ଭ କରାଯାଇଛି ।
ନ୍ୟାସନାଲ୍ ପେନସନ୍ ସ୍କିମ୍ ବାବଦରେ ବି ଆପଣ ଜାଣିବା କଥା । ନ୍ୟାସନାଲ୍ ପେନ୍ସନ୍ ସ୍କିମ୍ ଉପରେ ଏହି ଜାନୁୟାରୀ 1 ତାରିଖରୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏନ୍ପିଏସ୍ର ମେଚ୍ୟୁରିଟି ପିରିୟଡ଼ ପୁରା ହେବା ପରେ ଟଙ୍କା ଉଠାଇବା ଟ୍ୟାକ୍ସ ଫ୍ରି ହେବ । ଏନ୍ପିଏସ୍ ସ୍କିମ୍କୁ EEE କ୍ୟାଟେଗୋରୀକୁ ଆଣିବାକୁ ପୂର୍ବରୁ ହିଁ ଘୋଷଣା ହୋଇସାରିଛି ।
ଯାନବାହନ ଇନସ୍ୟୁରାନ୍ସ କମ୍ପାନୀଙ୍କର ପଲିସିର ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ବାଧ୍ୟତାମୂଳକ ବ୍ୟକ୍ତିଗତ ଦୁର୍ଘଟଣା ବୀମା ରାଶିକୁ 1 ଲକ୍ଷରୁ ବଢ଼ାଇ 15 ଲକ୍ଷ କରାଯାଇଛି । ଦୁଇ ଓ ତିନି ଚକିଆ, ପ୍ୟାସେଞ୍ଜର ଓ କମର୍ସିଆଲ୍ ଯାନବାହନର ମାଲିକ ବା ଡ୍ରାଇଭରକୁ 15 ଲକ୍ଷ ଟଙ୍କା ବିଶିଷ୍ଟ ବୀମାକୁ ନିଜ ପଲିସିରେ ସାମିଲ୍ କରିବାକୁ ହେବ ।
ସବୁଠାରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଅନ୍ଲାଇନ୍ ସପିଂ କ୍ଷେତ୍ରରେ । ଆସନ୍ତା ଫେବ୍ରୁୟାରୀ 1 ତାରିଖରୁ ଲାଗୁ ହୋଇଯିବ ନୂଆ ନିୟମ । ଫେବ୍ରୁୟାରୀ 1 ତାରିଖରୁ ନୋ କ୍ୟାସ୍ବ୍ୟାକ୍ ନୋ ବମ୍ପର ଡିସକାଉଣ୍ଟ । ପ୍ରାଇମ୍ ବା ଆସ୍ୟୋର୍ଡ ଡିଲ୍ ଦେବାରେ କମ୍ପାନୀ ସମସ୍ୟାରେ ପଡ଼ିବେ । ନୂଆ ନିୟମ ଫଳରେ ଏକ୍ସକ୍ଲୁସିଭ୍ ସେଲ୍ ଓ ଲଞ୍ଚିଂ ଉପରେ ବି ସନ୍ଦେହ ରହିବ । ଭାଗିଦାରୀ ବିଶିଷ୍ଟ ଉତ୍ପାଦର ବିକ୍ରି ବି ବନ୍ଦ ହୋଇଯିବ । ମୂଲ୍ୟକୁ ପ୍ରଭାବିତ କରିବା ଭଳି କଣ୍ଟ୍ରାକ୍ଟ ଉପରେ ରୋକ୍ ଲାଗିବ । ବିକ୍ରେତା 25{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} ଉତ୍ପାଦ ହିଁ ଗୋଟିଏ ଅନ୍ଲାଇନ୍ ମାର୍କେଟ୍ ପ୍ଲେସ୍ରେ ବିକ୍ରି କରିପାରିବେ ।
ଘରୋଇ ଓ ଛୋଟ ବ୍ୟବସାୟୀଙ୍କୁ ସାହାଯ୍ୟ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି, ଯଦିଓ ଏହି ନିଷ୍ପତ୍ତି ଫଳରେ ଏମିତି ଗ୍ରାହକଙ୍କୁ କିଛି ମାତ୍ରାରେ ସମସ୍ୟା ହୋଇପାରେ ଯେଉଁମାନେ କ୍ୟାସବ୍ୟାକ୍ ପ୍ଲାନ୍ ବା ବମ୍ପର ସେଲ୍ର ଅପେକ୍ଷା କରୁଥାଆନ୍ତି ।