
ରାଜ୍ୟରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ କୁ ନେଇ ମତଦାନ । ଗତକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ, ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏପରିକି ଖବର ସଂଗ୍ରହ ପାଇଁ ଆସିଥିବା ସାମ୍ବାଦିକଙ୍କୁ ଆକ୍ରମଣ ହୋଇଚି । ଏହି ଘଟଣାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ଗଡିଶାପଦା ଥାନା ଆଇଆଇସି ନାରାୟଣ ଲେଙ୍କା ସୂଚନା ଦେଇଛନ୍ତି ।
ସେମାନେ ହେଲେ ସତ୍ୟପ୍ରିୟ ମହାରାଣା, ବିଜୟ ସ୍ୱାଇଁ, ସୁବାସ ମାଝୀ, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୂଜବଳ, ଅଜୟ ବାରିସାଲ, ବିଦ୍ୟାଧର ସ୍ୱାଇଁ ଓ ବଦ୍ରବନ୍ଧୁ ସ୍ୱାଇଁ । ସେମାନଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ୨ଟି ବୁମ୍, ଲାଇଭ ଟେଲିକାଷ୍ଟ ଏବଂ ତାର ବଣ୍ଡଲ ଜବତ କରାଯାଇଛି ।
ସୂଚନା ଅନୁସାରେ, ନ୍ୟୁଜ ୧୮ ଓ ନ୍ୟୁଜ ୭ର ପ୍ରତିନିଧି ଓ କ୍ୟାମେରା ମ୍ୟାନ୍ ଏହି ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣକାରୀମାନେ କ୍ୟାମେରା ସହ ସେମାନଙ୍କ ବୁମକୁ ଛଡାଇ ନେଇଥିଲେ । ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଏହାସହିତ ସେମାନଙ୍କୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।