ରାଇରଙ୍ଗପୁର: ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ ଅଭିଭାଷଣ ରଖିଛନ୍ତି। ଗୋଟିଏ ମଞ୍ଚରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଉପସ୍ଥିତ ଥିବା ବେଳେ ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୪ ପରଠୁ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନା ଆଣିଛନ୍ତି, ସଫଳତା ମିଳିଚାଲିଛି। ଓଡ଼ିଶା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଢ଼ ବିଶ୍ୱାସ ରହିଛି। ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ଏବଂ ସମୃଦ୍ଧ ଓଡ଼ିଶା ନିର୍ମାଣ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ଆଜିର ଦିନ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ରାଷ୍ଟ୍ରପତି ଏବଂ ଦେଶର ପ୍ରଧାନମନ୍ତ୍ରୀ ଏକାଠି ଓଡ଼ିଶାର ମାଟିରେ ଉପସ୍ଥିତ ରହିବା ରାଜ୍ୟ ପାଇଁ ଏକ ବଡ଼ ସମ୍ମାନର ବିଷୟ। ଓଡ଼ିଶାରେ ଶିଳ୍ପ, ଭିତ୍ତିଭୂମି, ଶିକ୍ଷା, ପର୍ଯ୍ୟଟନ ଓ କୃଷି କ୍ଷେତ୍ରରେ ବ୍ୟାପକ ବିକାଶ କାର୍ଯ୍ୟ ଆଗକୁ ବଢ଼ୁଛି । ରାଜ୍ୟରେ ବିନିଯୋଗ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯୁବପିଢ଼ୀଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିବ ଏବଂ ଓଡ଼ିଶାରୁ ଚାକିରି ଖୋଜି ବାହାରକୁ ଯିବା ପ୍ରବୃତ୍ତି ଧୀରେ ଧୀରେ କମିବ। ଏମିତି ସମୟ ଆସିବ ଯେତେବେଳେ ଓଡ଼ିଶାର ଯୁବକ ଯୁବତୀମାନେ ନିଜ ରାଜ୍ୟରେ ରହି କାମ କରିବେ ଏବଂ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ରୋଜଗାର ପାଇଁ ଓଡ଼ିଶାକୁ ଆସିବେ। ରାଜ୍ୟ ସରକାରଙ୍କ ବିକାଶମୂଳକ ନୀତି ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ଲକ୍ଷ୍ୟ ସାକାର ହେବ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାର ବିକାଶ ଯାତ୍ରାକୁ ନୂଆ ଗତି ମିଳିବ ବୋଲି ରାଜ୍ୟ ସରକାର ଆଶାବାଦୀ । ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନ ସାକାର ଦିଗରେ ଏହି ଗସ୍ତ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟର ଡବଲ ଇଞ୍ଜିନ ଶାସନରେ ବିକାଶ ତ୍ବରାନ୍ବିତ ହୋଇଛି। ପ୍ରତିଶ୍ରୁତି ପ୍ରତିବଦ୍ଧତା ନେଇ ରାଜ୍ୟ ସରକାର କାର୍ଯ୍ୟ କରି ଚାଲିଛନ୍ତି। ରାଜ୍ୟର କଲ୍ୟାଣ ଉଦ୍ୟମରେ ତିଳେ ମାତ୍ର ହେଳା କରିବୁନି ବୋଲି ମୁଖ୍ୟମନ୍ତ୍ରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।