ପ୍ରତୀକ୍ଷାର ଖୁବ୍‌ଶୀଘ୍ର ଘଟିବ ଅନ୍ତ: ଏପ୍ରିଲ୍‌ରୁ ରାଜଧାନୀରେ ଗଡ଼ିବ ‘ଇ-ବସ୍‌’

ସବୁ ପ୍ରତିକ୍ଷାର ଘଟିବ ଅନ୍ତ | ରାଜଧାନୀର ରାଜରାସ୍ତାରେ ଗଡିବ ଇଲେକ୍ଟ୍ରିକ୍‌ ବସ୍‌ (ଇ-ବସ୍‌) | ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯାୟରେ ପହଁଚିଛି | ଆସନ୍ତା ଏପ୍ରିଲରୁ ଭୁବନେଶ୍ବରରେ ପରୀକ୍ଷାମୂଳକ ଭାବେ ୫ଟି ଇ-ବସ୍‌ ଗଡ଼ାଇବାକୁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଯୋଜନା କରିଛି। ପରୀକ୍ଷଣରେ ସବୁ ଠିକ୍‌ଠାକ୍‌ ରହିଲେ, ପର୍ଯ୍ୟାୟକ୍ର‌ମେ ଆହୁରି ଇ-ବସ୍‌ ଅଣାଯିବ ବୋଲି କୁହାଯାଇଛି। ବସ୍‌ର ପ୍ରତି ସିଟ୍‌ରେ ୟୁଏସ୍‌ବି ଚାର୍ଜିଂ ପଏଣ୍ଟ, ଜରୁରୀକାଳୀନ ରହଣି, ଶୀତତାପ ନିୟନ୍ତ୍ରଣ, ସିସିଟିଭି କ୍ୟାମେରା ସୁବିଧା ଉପଲବ୍ଧ ରହିବ। ଏହି ବସ୍‌ ଶବ୍ଦ ସହ ବାୟୁ ପ୍ରଦୂଷଣମୁକ୍ତ। ରାଜଧାନୀରେ ୨ଶହରୁ ଊର୍ଦ୍ଧ୍ବ ଇ-ବସ୍‌ ଚାଲିଲେ ୩୦ପ୍ରତିଶତରୁ ‌ଅଧିକ ପ୍ରଦୂଷଣ କମିପାରିବ ବୋଲି କୁହାଯାଉଛି। ସେଥିପାଇଁ ଇ-ବସ୍‌କୁ ପ୍ରାଥମିକତା ଦେବାକୁ କ୍ରୁଟ୍‌ ସ୍ଥିର କରିଛି।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ଇ-ବସ୍‌ ଚଳାଇବା ପାଇଁ ୨୦୧୯ ମସିହାରେ ଯୋଜନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୫୦ଟି ବସ୍‌ ଗଡ଼ିଥା’ନ୍ତା। ଏହା ସଫଳ ହେଲେ ବା ଭଲ ଚାଲିଲେ, ବସ୍‌ ସଂଖ୍ୟା ବଢ଼ାଇବା ପାଇଁ ଯୋଜନା ହୋଇଥିଲା। ୨୦୧୯ ନଭେମ୍ବରରେ ପରୀକ୍ଷାମୂଳକ ଭାବେ ଗୋଟିଏ ଇ-ବସ୍‌ ରୁଟ୍‌ ନମ୍ବର-୨୦ରେ ଗଡ଼ିଥିଲା। ବସ୍‌ଟି ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାହାରି ବାଣୀବିହାର ଦେଇ ଖୋର୍ଦ୍ଧା ଯାଇଥିଲା। ବସ୍‌ଟି ଯାତ୍ରୀପୂର୍ଣ୍ଣ ରହିଲେ ଏହା ଧାର୍ଯ୍ୟ ଦୂରତା‌ ଅତିକ୍ରମ କରିବ କି ନାହିଁ, ତାହା ଜାଣିବା ପାଇଁ ପ୍ରତି ସିଟ୍‌ରେ ବାଲିବସ୍ତା ରଖାଯାଇଥିଲା। ପରୀକ୍ଷଣ ସଫଳ ହେବା ପରେ ୨୦୨୦ ଜାନୁଆରିରେ ରାଜଧାନୀରେ ଇ-ବସ୍‌ ଚଳାଇବାକୁ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିଲା। ଏଥିପାଇଁ ବିଡିଂ ପ୍ରକ୍ରିୟା ବି ଆରମ୍ଭ ହୋଇଥିଲା। ୩ଟି ସଂସ୍ଥା ବିଡିଂରେ ଭାଗ ନେଇଥିଲେ। ଏଥିରେ ପୂର୍ବରୁ ଇ-ବସ୍‌ ଚଳାଇ ସଫଳତା ପାଇଥିବା ହାଇଦ୍ରାବାଦ୍‌ର ସଂସ୍ଥା ‘ଓଲେକ୍ଟ୍ରା’କୁ ଡେମୋ ଦେଖାଇବା ପାଇଁ ସ୍ବୀକୃତି ଦିଆଯାଇଥିଲା। ଏହି ତିନି ସଂସ୍ଥା ମଧ୍ୟରୁ କର୍ତ୍ତୃପକ୍ଷ ସର୍ବନିମ୍ନ ବିଡର୍‌ କିମ୍ବା ଉପଯୁକ୍ତ ସେବା ଯୋଗାଇବା ପାଇଁ ଯୋଗ୍ୟ ଥିବା ସଂସ୍ଥାକୁ ଚୟନ କରିଥା’ନ୍ତେ। ହେଲେ ମାର୍ଚ ଶେଷ ଆଡ଼କୁ ଦେଶରେ କରୋନା କଟକଣା ଲାଗୁ ହୋଇଯିବାରୁ ସବୁ ଯୋଜନା ଅଟକି ଯାଇଥିଲା। ଏବେ ସେହି ପ୍ରକ୍ରିୟାରେ ପୁଣି ଥରେ ସଂସ୍ଥା ଚୟନ କରାଯିବା ସହ ସମ୍ପୃକ୍ତ ସଂସ୍ଥାରୁ ୫ଟି ବସ୍‌ ଆଣି ଚଳାଚଳ ଆରମ୍ଭ କରାଯିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ୭ଟି ଚାର୍ଜିଂ ଷ୍ଟେସନ୍‌ ତିଆରି କରାଯାଉଛି। ଠିକା ସଂସ୍ଥାମାନେ କାମ ଆରମ୍ଭ କରିବା ସହ ଏପ୍ରିଲ ସୁଦ୍ଧା ଏହି ଚାର୍ଜିଂ ଷ୍ଟେସନ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି। ଫଳରେ ଏହି ଇ-ବସ୍‌ଗୁଡ଼ିକୁ ଚାର୍ଜ କରିବାରେ ସମସ୍ୟା ହେବ ନାହିଁ। ତା’ ଛଡ଼ା ଅଧିକ ଇ-ବସ୍‌ ହେଲେ, କ୍ରୁଟ୍‌ ନିଜସ୍ବ ଚାର୍ଜିଂ ଷ୍ଟେସନ୍‌ କରିବାକୁ ଯୋଜନା କରିଛି।

Related Posts