ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡୀଗଡ଼, ଦିଲ୍ଲୀ, ଜାମନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲଖନଉ, ପୁଣେ ଏବଂ ଗାନ୍ଧିନଗରରେ ୫ଜି ଟ୍ରାଏଲ୍ ସାଇଟ୍ ବା ୫ଜି ପରୀକ୍ଷଣ ସ୍ଥଳ ସ୍ଥାପନ କରିବେ ଏୟାରଟେଲ, ଜିଓ ଏବଂ ଭୋଡାଫୋନ୍ ଆଇଡିଆ। ଅର୍ଥାତ ଏହି ୧୩ଟି ସହରରେ ଆରମ୍ଭ ହେବ ପ୍ରଥମେ ୫ଜି ସେବା ।
୨୦୨୧ ର ସଫଳତା ବିଷୟରେ ସୂଚନା ପ୍ରଦାନ କରି ଦୂରସଂଚାର ମନ୍ତ୍ରାଳୟ କହିଛି ଯେ ଟେଲିକମ୍ କ୍ଷେତ୍ରରେ ଭାରତ ନେଟରୁ ଆରମ୍ଭ କରି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଅଧିକ ସଂଖ୍ୟକ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି | ସେହିପରି ଟେଲିକମ୍ କ୍ଷେତ୍ରରେ ୨୦୧୪ ରୁ ୨୦୨୧ ମଧ୍ୟରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ପ୍ରାୟ ୧୫୦ ପ୍ରତିଶତ ବୃଦ୍ଧି ପାଇ ୧,୫୫,୩୫୩ କୋଟିରେ ପହଞ୍ଚିଛି, ଯାହା ୨୦୦୨ ରୁ ୨୦୧୪ ମଧ୍ୟରେ ୬୨,୩୮୬ କୋଟି ଥିଲା ।
ଦୂରସଂଚାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୫ଜି ପରୀକ୍ଷା ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଠଟି କାର୍ଯ୍ୟକାରୀ ସଂସ୍ଥାଙ୍କ ମଧ୍ୟରେ ଆଇଆଇଟି ବମ୍ବେ, ଆଇଆଇଟି-ଦିଲ୍ଲୀ, ଆଇଆଇଟି-ହାଇଦ୍ରାବାଦ, ଆଇଆଇଟି-ମାଡ୍ରାସ, ଆଇଆଇଟି-କାନପୁର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ବାଙ୍ଗାଲୋର (IISC), ସୋସାଇଟି ଫର ଆପ୍ଲାଏଡ୍ ମାଇକ୍ରୋୱେଭ୍ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ଏବଂ ସେଣ୍ଟର ଫର ଏକ୍ସଲେନ୍ସ ୱେୟାରଲେସ ଟେକ୍ନୋଲୋଜି ୩୬ ମାସ ଧରି କାମ କରିଆସୁଛନ୍ତି ।