ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଭାକିଆ ଗସ୍ତ ଏକ ଐତିହାସିକ ଗୁରୁତ୍ୱ ବହନ କରୁଛି। ଏହାସହ ଦ୍ୱିପାକ୍ଷିକ ସହଯୋଗକୁ ମଧ୍ୟ ଅଧିକ ସୁଦୃଢ଼ କରିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ଲୋଭାକ୍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଏହି ସମ୍ପର୍କକୁ ଉଭୟ ଦେଶ ମଧ୍ୟରେ ଏକ ‘ବ୍ୟାପକ ସହଭାଗିତା’କୁ ଉନ୍ନୀତ କରିବାକୁ ସହମତ ହୋଇଛନ୍ତି। ଏହି ବ୍ୟାପକ ସହଭାଗିତାର ଲକ୍ଷ୍ୟ ହେଉଛି ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ସ୍ତରକୁ ନେବା, ବିଦ୍ୟମାନ ସହଯୋଗ ବ୍ୟବସ୍ଥାକୁ ସଦୃଢ଼ କରିବା ଏବଂ ଉଭୟ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ସ୍ତରରେ ସହଯୋଗକୁ ଗଭୀର କରିବା ପାଇଁ ନୂତନ ପନ୍ଥା ଖୋଜିବା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବଢ଼ୁଥିବା ଭୂ-ରାଜନୈତିକ, ଅର୍ଥନୈତିକ ଏବଂ ବୈଷୟିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଭୟ ନେତା ପାରସ୍ପରିକ ଲାଭଦାୟକ ସହଯୋଗ, ଆଞ୍ଚଳିକ ସଂଯୋଗୀକରଣ, ମୁକ୍ତ ଆନ୍ତର୍ଜାତିକ ବାଣିଜ୍ୟ, ନୌଚାଳନାର ସ୍ୱାଧୀନତା, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଏକ ନିୟମ-ଆଧାରିତ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ଭାରତ ଓ ସ୍ଲୋଭାକିଆ ମଧ୍ୟରେ ଏକ ଦୃଢ଼ ସହଭାଗିତାର ଗୁରୁତ୍ୱକୁ ସ୍ୱୀକାର କରିଛନ୍ତି। ଉଭୟ ନେତା ନିୟମିତ ଉଚ୍ଚସ୍ତରୀୟ ଆଦାନପ୍ରଦାନ ଏବଂ ନିରନ୍ତର ରାଜନୈତିକ ଆଲୋଚନାର ଗୁରୁତ୍ୱ ଉପରେ ଜୋର୍ ଦେଇଛନ୍ତି । ଏହାସହ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଏବଂ ଅସ୍ଥାୟୀ ଉଭୟ ଶ୍ରେଣୀର ସମ୍ପ୍ରସାରଣର ଜରୁରୀ ଆବଶ୍ୟକତା ଉପରେ ଦୁଇ ନେତା ଗୁରୁତ୍ୱ ଦେଇଛନ୍ତି। ସ୍ଲୋଭାକ୍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ମୋଦୀ ସ୍ଲୋଭାକ୍ ଗଣତନ୍ତ୍ରକୁ ଏକ ସରକାରୀ ପରିଦର୍ଶନ କରିଛନ୍ତି। ୧୯୯୩ ମସିହାରେ ସ୍ଲୋଭାକିଆର ସ୍ୱାଧୀନତା ପରଠାରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ସ୍ଲୋଭାକିଆ ଗସ୍ତ, ଯାହା ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି ଏବଂ ଦୁଇ ଦେଶ ମଧ୍ୟରେ ଥିବା ସ୍ଥାୟୀ ଦୃଢ଼ ବନ୍ଧୁତ୍ୱକୁ ଏକ ନୂଆ ଦିଗ ଦେଇଛି।
