ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ଆଉ ୨୪ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା ସମାଜବାଦୀ ପାର୍ଟି

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢେଇ କୁ ନେଇ ସରଗରମ ରାଜ୍ୟ ରାଜନୀତି । ଦଳ ପକ୍ଷରୁ ପ୍ରଚାର ପ୍ରସାର ଜୋର୍ ଧରିଥିବା ବେଳେ, ଏହାରି ମଧ୍ୟରେ ପ୍ରାର୍ଥୀ ତାଲିକା ମଧ୍ଯ ଘୋଷଣା କରୁଛି ଦଳ । ସୋମବାର ସମାଜବାଦୀ ପାର୍ଟି ନିଜର ଆଉ ୨୪ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ତେବେ ଏହି ଲିଷ୍ଟରେ ଦଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସଭାବତୀ ଶୁକ୍ଲାଙ୍କୁ ପ୍ରାର୍ଥୀ କରିିଛି । ଅର୍ଥାତ ଗୋରଖପୁର ସଦର ସିଟ୍ ପାଇଁ ଏବେ ଯୋଗୀ ଓ ସଭାବତୀ ଶୁକ୍ଲାଙ୍କ ଭିତରେ ଲଢେଇ ହେବ ।

ଅନ୍ୟପଟେ ସମାଜବାଦୀ ପାର୍ଟି ପ୍ରତାପଗଡ ଆସନ ପାଇଁ ସୌରଭ ସିଂହ ଓ ଆରକେ ବର୍ମାଙ୍କୁ ଟିକେଟ୍ ଦେଇଛି । ଏହା ସହ ଆଜମଗଡ ଆସନରୁ ଦଳ ଅଖିଳେଶ ଯାଦବ ନାମକ ଆଉ ଜଣେ ନେତାଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ଏହାସହ ପଡରୈନା ଆସନରୁ ବିକ୍ରମା ଯାଦବ, ଦେବରିୟାର ରୁଦ୍ରପୁର ସିଟରୁ ପ୍ରଦୀପ ଯାଦବ, ଆଜମଗଡ ସଗଡୀ ବିଧାନସଭାରୁ ଏଚଏନ ପଟେଲ ଲଢିବେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋରଖପୁର ସଦର ଆସନରୁ ସମାଜବାଦୀ ପାର୍ଟି ଏଥର ସଭାବତୀ ଶୁକ୍ଲାଙ୍କୁ ପ୍ରାର୍ଥୀ କରିଛି । ଯେଉଁ ଆସନରୁ ବିଜେପିି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟିକେଟ୍ ଦେଇଛି । ତେଣୁ ଏହି ଆସନରେ ଏବେ ସଭାବତୀ ଶୁକ୍ଲା ଜିତୁଛନ୍ତି ନା ଯୋଗୀ ପୁଣିଥରେ ବିଜୟ ବାନା ଉଡାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ସୂଚନାଯୋଗ୍ୟ ଯେ, ଏଥର ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଉଛି ସମାଜବାଦୀ ପାର୍ଟି । ବିଶେଷକରି ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଏଥର ନିର୍ବାଚନ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । ତେବେ ବିପକ୍ଷରେ ବିଜେପି ମଧ୍ୟ ପଛରେ ପଡିନି । ଦଳର ତମାମ ନେତା ଏବେ ଉତ୍ତରପ୍ରଦେଶ ମୁହାଁ ହୋଇଥିବାବେଳେ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଘର ଘର ବୁଲି ବିଜେପି ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ।

Related Posts