ଭୁବନେଶ୍ବର : ଏଣିକି ଲୋକଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ତହସିଲ ଅଫିସ। ଗାଁରେ କ୍ୟାମ୍ପ କୋର୍ଟ ପକାଇ ଲୋକଙ୍କ ସମସ୍ୟାର ସମାଧାନ କରିବେ ଅଧିକାରୀ। ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିଭାଗୀୟ ରିପୋର୍ଟ କାର୍ଡରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ନୂଆ ଓଡ଼ିଶା ପୁନଃର୍ବାସ ଓ ଥଇଥାନ ନୀତିରେ ସ୍ଥାପନ ହେବ ରାଜ୍ୟ ବିପର୍ଯ୍ୟୟ ପ୍ରତିରୋଧ ପ୍ରତିଷ୍ଠାନ। ପଞ୍ଚାୟତସ୍ତରରେ କରାଯିବ ତହସିଲ କ୍ୟାମ୍ପ କୋର୍ଟ। ଜମି ଅଧିଗ୍ରହଣ ଏବଂ ସରକାରୀ ଜମି ପରିଚାଳନା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗର ଉପଲବ୍ଧି ଗଣାଇ ମନ୍ତ୍ରୀ କହିଛନ୍ତି ଯେ, ଦୁଇ ବର୍ଷରେ ଅଢେଇ କୋଟି ଲୋକଙ୍କୁ ରାଜସ୍ବ ସେବା ମିଳିଛି। ଘରେ ବସି ୱାଟ୍ସଆପ ନମ୍ବର ଜରିଆରେ ପ୍ରମାଣପତ୍ର ମିଳୁଛି। ଜମି ମ୍ୟୁଟେସନ, କିସମ ପରିବର୍ତ୍ତନ, ବାସିନ୍ଦା, ଆୟ, ଜାତି ପ୍ରମାଣପତ୍ର ସେବା ଭଳି ଆମ ସାଥି ୱାଟ୍ସଆପ ଚାଟବଟରେ ୧୧ଟି ରାଜସ୍ବ ସେବା ଉପଲବ୍ଧ କରାଯାଇଛି। କଲମ ଟୁ କରେକ୍ସନ ଜମିପଟ୍ଟା ମାଲିକାନା ସଂଶୋଧନରେ ରାଜ୍ୟର ୧ କୋଟି, ୭୧ ହଜାର ୫୦୮ ଖାତାରୁ ୮୪ ଲକ୍ଷ ୩୭ ହଜାର ୮୩୧ ଖାତାକୁ ସର୍ଭେ କରାଯାଇଛି। ୮୦ ଲକ୍ଷ ୨୭ ହଜାର ୭୬ ଖାତାକୁ ସମ୍ପୂର୍ଣ୍ଣ ସଂଶୋଧନ କରାଯାଇଛି। ୭ ହଜର ୭୯୭ କିସମକୁ ୨୨ଟିକୁ ଏବଂ ୭୫୦ ପ୍ରକାର ସ୍ୱତକୁ ୪କୁ ହ୍ରାସ କରାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଭୂ ସମ୍ପତ୍ତି ସୁରକ୍ଷା ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ୟାଣ୍ଡ ସେଲ ଖୋଲାଯାଇଛି। ୨ ବର୍ଷରେ ୧୦୦୬ଟି ରାଜସ୍ବ ଗ୍ରାମ ଘୋଷଣା ହୋଇଛି। ୩୧ ହଜାର ୩୩୦ ଘରଡ଼ିହ ଶୂନ୍ୟ ପରିବାରକୁ ଜମି ପଟ୍ଟା, ଗ୍ରାମକଣ୍ଠ ପରାମ୍ଭିକ ଜମିରେ ୩୮ ହଜାର ୪୧୯ ପରିବାରକୁ ଘରବାରୀ ପଟ୍ଟା ବଣ୍ଟନ ହୋଇଛି। ୧୦୮ ନୂଆ ସବରେଜିଷ୍ଟର କାର୍ଯ୍ୟାଳୟ ଖୋଲାଯାଇଛି। ଜମି କିଣାବିକା ପାଇଁ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ଲିକେସନ ଏବଂ ଜମି ଚିହ୍ନଟ ଏବଂ ମାପ ପାଇଁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ପୋର୍ଟାଲ ଖୋଲାଯାଇଛି। ହାଇଟେକ ସର୍ଭେ ଏବଂ ସେଟଲମେଣ୍ଟ ଜମିପଟ୍ଟା ବଣ୍ଟନ କାମ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ବଲାଙ୍ଗୀରରେ ସର୍ଭେ କାର୍ଯ୍ୟ ଜାରି ରହିଛି। ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ ଏବଂ ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରାଯାଇଛି । ମନ୍ତ୍ରୀ ପୁଣି କହିଥିଲେ , ଗତ ୨ ବର୍ଷରେ ୧୪୫୮.୭୦୨ ଏକର ଜମିରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଲିଜ୍ ଦିଆଯାଇଛି। ୨୬ ହଜାର ଶିକ୍ଷନୁଷ୍ଠାନ ଜମି ପଟ୍ଟା ପାଇଛନ୍ତି। ଓଡ଼ିଶା ସରକାରଙ୍କ ଦ୍ବାରା ସଫଳତାର ସହ ବାତ୍ୟା “ଦାନା” ଏବଂ “ମନ୍ଥା”ର ମୁକାବିଲା ଜିରୋ କାଜୁଆଲିଟି ବା ଶୂନ୍ୟ ମୃତାହତ ସହିତ କରାଯାଇଛି। ପାଣିପାଗ ସୂଚନା ଏବଂ ନେଟୱାର୍କ ଡାଟା ସିଷ୍ଟମ ବ୍ଲକ୍ ସ୍ତରରେ ୪୩୪ଟି ସ୍ବୟଂଚାଳିତ ପାଣିପାଗ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ୬,୬୨୪ ସ୍ବୟଂଚାଳିତ ବର୍ଷା ମାପକ ଯନ୍ତ୍ର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ୪,୮୦୦ ଆପଦ ମିତ୍ର ସ୍ବେଛାସେବକଙ୍କୁ ତାଲିମ ଦିଆଯାଇଛି। ୨୫ଟି ଜିଲ୍ଲାରେ ମୋଟ ୯୧୧ଟି ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବା ସହିତ ୧୮ଟି ନୂତନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣାଧିନ ଅଛି। ପୁରୀରେ ବ୍ରିକ୍ସ ସମ୍ମିଳନୀ ଓଡ଼ିଶା ମଡେଲକୁ ସ୍ୱୀକୃତି ଦିଆଯାଇଛି। ସେ ପୁଣି କହିଥିଲେ ‘ରାଜସ୍ବ ଭବନ” ଏବଂ “ବିପର୍ଯ୍ୟୟ ପରିଚାଳନା ଭବନ”ର ନିର୍ମାଣ ହେବ। ଆଭାସୀ ମାଧ୍ୟମରେ ରାଜସ୍ବ ଅଦାଲତ ଭର୍ଚୁଆଲ କୋର୍ଟ, ଏକୀକୃତ ରାଜସ୍ବ ଅଦାଲତ ପରିଚାଳନା ବ୍ୟବସ୍ଥା କରାଯିବ। ପୁରୁଣା ଭୂମି ରେକର୍ଡଗୁଡିକର କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରିତ ଡିଜିଟାଇଜେସନ୍, ଜି.ଆଇ.ଏସ୍. ଆଧାରିତ ଭୂ-ଅଭିଲେଖ ବିପର୍ଯ୍ୟୟ ପରିଚାଳନା ପାଇଁ ଏକୀକୃତ କମାଣ୍ତ ଏବଂ କଣ୍ଟ୍ରୋଲ୍ ବ୍ୟବସ୍ଥା କରାଯିବ େବାଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
