କଟକ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ମାମଲାରେ ଚାଟିଂ ଓ କଲ୍ ରେକର୍ଡିଂରୁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ତାଙ୍କୁ ମାନସିକ ଚାପ ଦିଆଯାଇଛି ଏଥିରୁ ସ୍ପଷ୍ଟ ହୋଇଛି। ଯାହାକୁ ନେଇ ଓଏସ୍ ପ୍ରେମିକ ଭୀମସେନ ଟୁଡୁଙ୍କ ଅଡୁଆ ବଢ଼ିଛି। ଆଗକୁ ଭୀମସେନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବାରଙ୍ଗ ପୋଲିସ। ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି। ଏବେ ଭୀମସେନ ଟୁଡୁ ଓ ତାଙ୍କ ନୂଆ ପ୍ରେମିକା ପୁଲିସ ସ୍କାନ୍ରେ ଅଛନ୍ତି। ଓଏଏସ୍ ପ୍ରେମିକ ଓ ଚନ୍ଦ୍ରିକାଙ୍କ ସମ୍ପର୍କରେ ମଧ୍ୟ କଣ ବିବାଦ ଥିଲା ତାର ଖିଅ ଯୋଡିବାକୁ ବାରଙ୍ଗ ପୁଲିସ ତଦନ୍ତ ଚଳାଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଏନେଇ କଟକ ଡିସିପି ଖିଲାରି ଋଷିକେଶ ଜ୍ଞାନଦେଓ ପ୍ରେସ୍ ମିଟ୍ରେ ସୂଚନା ଦେଇଛନ୍ତି। ଡିସିପି ଆହୁରି କହିଛନ୍ତି ଯେ, ଉଦଳାରେ ବାରଙ୍ଗ ପୁଲିସ ଚନ୍ଦ୍ରିକାଙ୍କ ମା, ଭାଇ, ସମ୍ପର୍କୀୟଙ୍କୁ ପଚରାଉଚରା କରି ଫେରିଛି । ମୃତ୍ୟୁ ପୂର୍ବର ଚନ୍ଦ୍ରିକା ଓ ତାଙ୍କ ମାଆଙ୍କ ହ୍ବାଟଆପ୍ ଚାଟ୍ ହସ୍ତଗତ ହୋଇଛି। ଅଭିଯୁକ୍ତ ଭୀମସେନ ବାବଦରେ ମାଆ, ଝିଅଙ୍କ ମଧ୍ୟରେ ଚାଟିଂ ହୋଇଥିଲା। ଆଇନଗତ ପଦକ୍ଷେପ ନଚେତ କିଛି ବଡ଼ ପଦକ୍ଷେପ ନେବି ବୋଲି ଚନ୍ଦ୍ରିକା ଲେଖିଥିଲେ । ପୁଲିସ ଦୁଇ ଜଣଙ୍କ ମୋବାଇଲ ଜବତ କରିଛି। ସେହିଭଳି ଭୀମସେନ ଓ ଚନ୍ଦ୍ରିକାଙ୍କ ମାଆ ମଧ୍ୟରେ ବାର୍ତ୍ତାଳପ ଅଡିଓ ମଧ୍ୟ ମିଳିଛି । ଏହି ଡିଜିଟାଲ୍ ତଥ୍ୟକୁ ପ୍ରମାଣ ଭାବେ ବିବେଚନା କରାଯିବ । ଭୀମସେନକୁ ରିମାଣ୍ଡରେ ଆଣି ପଚରା ଉଚରା କରାଯିବ। ଚନ୍ଦ୍ରିକା ଭୁବନେଶ୍ୱର ଆସି କାହା ପାଖେ ରହୁଥିଲେ ସେ ସବୁ ଦିଗରେ ତଦନ୍ତ କରାଯାଉଛି।
