ସୁନ୍ଦରଗଡ଼, (ସତ୍ୟପାଠ ବ୍ୟୁରୋ): ସୁନ୍ଦରଗଡ଼ରେ ଧଳା କାର୍ରେ ଆସି ସିରିଜ ଚୋରି ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ସଦର ଥାନା ଅଧୀନ ପ୍ରଧାନପାଟ ଗାଁରେ ଏକାଧିକ ଘରକୁ ଟାର୍ଗେଟ୍ କରି ଚୋରି ହୋଇଛି । ଘରେ କେହି ନଥିବା ସୁଯୋଗ ନେଇ ଚୋରମାନେ ୩ଟି ଘରେ କଳାକନା ବୁଲାଇଛନ୍ତି । ସୂଚନା ଅନୁସାରେ, ଏକ ଧଳା କାର୍ରେ ଆସି ଚୋରମାନେ ଘରଗୁଡ଼ିକୁ ଟାର୍ଗେଟ୍ କରିଥିଲେ। ଗୋଟିଏ ଘରୁ ପ୍ରାୟ ୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍ ହୋଇଥିବା ବେଳେ ଅନ୍ୟ ଦୁଇଟି ଘରୁ ବିଭିନ୍ନ ଗୃହ ସାମଗ୍ରୀ ଚୋରି ହୋଇଛି। ଚୋରି ପରେ ଦୁର୍ବୃତ୍ତମାନେ ଧଳା କାର୍ରେ ଫେରାର ହୋଇଥିବା ଜଣାପଡ଼ିଛି । ଏକାଧିକ ଘରେ ଚୋରି ହେବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ଛାନଭିନ୍ କରୁଛି ।
