ନନ୍ଦନକାନନ ପ୍ରାଣୀ ଉଦ୍ୟାନ: ଆଖି ବୁଜିଲା ନୀଳଗାଈ, ଅଣ୍ଡିରା ଲେଡିଆମୋରେଷ୍ଟ ଫିଜାଣ୍ଟ ଅସୁସ୍ଥ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ଏକ ୧୦ ବର୍ଷିଆ ମାଈ ନୀଳଗାଈର ମୃତ୍ୟୁ | ନୀଳଗାଈଟି ୧୫ ଦିନ ତଳେ ଏକ ମଲା ଶାବକ ଜନ୍ମ ଦେଇଥିଲା । ସେବେଠାରୁ ନୀଳଗାଈଟି ଅସୁସ୍ଥ ଥିଲା । ତା’ର ଝାଡା ପରିଶ୍ରାରେ ରକ୍ତ ପଡୁଥିଲା । ପ୍ରାଣୀ ଉଦ୍ୟାନ ପଶୁ ଚିକିତ୍ସକ ଏବଂ ଓୟୁଏଟିର ଡାକ୍ତରଙ୍କ ଦ୍ୱାରା ତା’ର ଚିକିତ୍ସା ଜାରି ରହିଥିଲା । ନୀଳଗାଈଟି ଚେତାଶୂନ୍ୟ ହୋଇ ଖୁଆଡ଼ ନିକଟରେ ପଡ଼ିଥିଲା । ଖୁଆଡ ରକ୍ଷକ ଦେଖି ଜନ୍ତୁ ରେଞ୍ଜର ଓ ଡାକ୍ତରଙ୍କୁ ଖବର ଦେଇଥିଲେ । ଡାକ୍ତର ପହଞ୍ଚି ନୀଳଗାଈଟିର ମୃତ୍ୟୁ ହୋଇଥିବା କହିଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ । ପ୍ରାଥମିକ ଭାବେ ଗର୍ଭାଶୟରେ ସଂକ୍ରମଣ ଓ ନିମୋନିଆ କାରଣରୁ ନୀଳଗାଈର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଏଥିସହ, ବିହଙ୍ଗ ସାରଣୀରେ ରହୁଥିବା ଏକ ଅଣ୍ଡିରା ଲେଡିଆମୋରେଷ୍ଟ ଫିଜାଣ୍ଟ ଅସୁସ୍ଥ ଅଛି । ପକ୍ଷୀଟିର ଗୋଡ଼ରେ ଏକ ଟ୍ୟୁମର ହୋଇଥିବାରୁ ଓୟୁଏଟିର ଡାକ୍ତରଙ୍କ ଦ୍ୱାରା ଅସ୍ତ୍ରୋପଚାର କରାଯାଇଛି । ଅସ୍ତ୍ରୋପଚାର ପରେ ପ୍ରାଣୀ ଉଦ୍ୟାନର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ତାକୁ ଆଣ୍ଟିବାୟୋଟିକ, ପେନକିଲର, ଭିଟାମିନ ଓ ଓଆରଏସ ପାଣି ପିଇବାକୁ ଦିଆଯାଉଛି ।

ଅସ୍ତ୍ରୋପଚାର ହୋଇଥିବା ସ୍ଥାନକୁ ଡ୍ରେସିଂ କରାଯିବ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପକ୍ଷୀଟିକୁ ଖୁଆଡ଼ରେ ଛଡ଼ାଯିବ ବୋଲି ଜଣାପଡ଼ିଛି ।

Related Posts