ନୂଆଦିଲ୍ଲୀ,(ସତ୍ୟପାଠ ବ୍ୟୁରୋ): ନିଟ୍୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତାଙ୍କ ସରକାରୀ ହ୍ୟାଣ୍ଡେଲ ପୋଷ୍ଟରେ ସିଧାସଳଖ ଭାବେ ପେପର୍ ଲିକ୍ ପ୍ରସଙ୍ଗକୁ ସମ୍ବୋଧିତ କରି ଲେଖିଛନ୍ତି, ପେପର୍ ଲିକ୍ ତଦନ୍ତ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ। ଯାହା ଦ୍ବାରା ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର କଠୋର ଦଣ୍ଡ ଦିଆଯାଇପାରିବ । ଯୁବପିଢିଙ୍କ ଭବିଷ୍ୟତ ସହିତ ଖେଳିଥିବା କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଜାରି କରାଯାଇଛି । ଦେଶର ଯୁବପିଢ଼ିଙ୍କ ସ୍ୱାର୍ଥ ଏବଂ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଛାତ୍ରମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ନେଉଥିବା ନିଷ୍ପତ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ଚିନ୍ତା ପ୍ରକାଶ ପାଇଥିବାବେଳେ, କେନ୍ଦ୍ର ସରକାରଙ୍କ ଏହି ଘୋଷଣାକୁ ପରୀକ୍ଷା ବ୍ୟବସ୍ଥାରେ ଶୃଙ୍ଖଳା ଓ ଜବାବଦେହିତା ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଆଶା କରାଯାଉଛି। ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୨୧ ତାରିଖରେ ଅନୁଷ୍ଠିତ ଏନ୍‌ଡିଏ ସଂସଦୀୟ ଦଳ ବୈଠକ ‘ମଙ୍ଗଳ ମିଲନ’ରେ ପ୍ରଧାନମନ୍ତ୍ରୀ ନିଟ୍ ପେପର ଲିକ୍ ପ୍ରସଙ୍ଗ ଉଠାଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁ ଗଣମାଧ୍ୟମକୁ ଜଣାଇଥିଲେ ଯେ, ପେପର ଲିକ୍‌କୁ ପ୍ରଧାନମନ୍ତ୍ରୀ ଏକ “ଘୋର ପାପ” ବୋଲି ଅଭିହିତ କରିଛନ୍ତି । ରିଜିଜୁଙ୍କ ସୂଚନା ଅନୁସାରେ, ମାମଲା ସାମ୍ନାକୁ ଆସିବା ମାତ୍ରେ ହିଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୧୩ ଜଣଙ୍କୁ ଗିରଫ କରାଯାଇଥିଲା । ପରୀକ୍ଷା ରଦ୍ଦ ହେବା ପରେ ପୁନର୍ବାର ପରୀକ୍ଷା ମଧ୍ୟ ପରିଚାଳିତ ହୋଇଛି । ଆଗାମୀ ଦିନରେ ଯେପରି କୌଣସି ପେପର ଲିକ୍ ନହୁଏ, ସେଥିପାଇଁ କଡ଼ା ନଜର ରଖିବାକୁ ପିଏମ୍ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ, ପେପର ଲିକ୍ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଜାରି ରଖିଛନ୍ତି । ଦିଲ୍ଲୀର ଜନ୍ତର-ମନ୍ତରଠାରେ ଗତ ମାସେ ଧରି ବିଭିନ୍ନ ଛାତ୍ର ସଂଗଠନ ଓ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଉଛି । ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ କମ୍ପନ ସୃଷ୍ଟି ହୋଇଛି । ବିରୋଧୀ ଦଳଗୁଡ଼ିକ ଏହି ବିଷୟରେ ସ୍ୱତନ୍ତ୍ର ଆଲୋଚନା ସହ ବିଭିନ୍ନ ପ୍ରସଙ୍ଗ ନେଇ ଗୃହରେ ହଙ୍ଗାମା ଜାରି ରଖିଛନ୍ତି ।

ଅନ୍ୟପଟେ ନିଟ ପେପର ଲିକ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଥିବାବେଳେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି କହିଛି କୋକ୍ରୋଚ୍ ଜନତା ପାର୍ଟି –ସିଜେପି। ଦଳ ପକ୍ଷରୁ କୁହାଯାଇଛି ଯେ , ପ୍ରଧାନମନ୍ତ୍ରୀଙ୍କ ପେପର୍ ଲିକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା ଦାୟିତ୍ୱର ପ୍ରସଙ୍ଗକୁ ସମାଧାନ କରିନାହିଁ। ଏପରିକି ଦଳ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁନର୍ବାର ଦୋହରାଇଛି। ସମାଧାନର ବାଟ ନ ବାହାରିବା ଯାଏଁ ଜନ୍ତରମନ୍ତର ଛାଡିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।