ନିର୍ବାଚନୀ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି 7 ଗୁରୁତର

ପଂଚାୟତ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି | ନିର୍ବାଚନ ପୂର୍ବରୁ ବାସୁଦେବପୁରରେ ରାଜନୈତିକ ନିର୍ବାଚନୀ ହିଂସା କାଣ୍ଡ ଘଟିଛି | ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ଦୁଇ ମହିଳାଙ୍କ ସମେତ 7 ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ଦିନକ ପୂର୍ବରୁ ବାସୁଦେବପୁର ଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ଗତ ସୋମବାର ଅପରାହ୍ନରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ବାସୁଦେବପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ରବିନାରାୟଣ ପାଢ଼ୀ ନିଜ ସମର୍ଥକଙ୍କ ସହ ନିର୍ବାଚନ ପ୍ରଚାର ଶୋଭାଯାତ୍ରା କରୁଥିଲେ। ସେହି ସମୟରେ ଅପର ଗୋଷ୍ଠୀର କିଛି ବ୍ୟକ୍ତି ଠେଙ୍ଗା, ଖଣ୍ଡା ଓ କାତି ଭଳି ମାରଣାସ୍ତ୍ର ଧରି ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ 7ଜଣ ଗୁରୁତର ଆହାତ ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡ଼ିଛି ।

ସୂଚନା ପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ସମେତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିସ୍ଥିତି ଉପରେ ନଜର ରଖିବା ସହ ଗ୍ରାମରେ ପୋଲିସ ମୁତୟନ କରାଯାଇଛି । ସେପଟେ ପୋଲିସ ପକ୍ଷରୁ ଦିଗପହଣ୍ଡି ଥାନାରେ ଆକ୍ରମଣକାରୀ ଗୋଷ୍ଠୀଙ୍କ ନାମରେ ଏତଲା ଦିଆଯାଇଥିବା ସୂଚନା ମିଳିଛି |

Related Posts