ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଆକାଶ ମାର୍ଗରୁ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିବା ହେବ ଆହୁରି ସହଜ। ଭାରତୀୟ ବାୟୁସେନାର ନିରୀକ୍ଷଣ କ୍ଷମତା ବଢ଼ିବା ସହ ଶତ୍ରୁ ଉପରେ ରହିବ କଡ଼ା ନଜର। ଏନେଇ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆରଡିଓ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଆଦାନୀ ଡିଫେନ୍ସ ସିଷ୍ଟମ୍ସ ଆଣ୍ଡ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ଏବଂ ଏଆଇ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ୍ ସହିତ ସ୍ୱାକ୍ଷରିତ ହୋଇଛି ଚୁକ୍ତି । ଡିଆରଡିଓର ସେଣ୍ଟର ଫର ଏୟାରବର୍ନ ସିଷ୍ଟମ୍ସ ନିର୍ଦ୍ଦିଷ୍ଟ ସାମରିକ ଭୂମିକା ପାଇଁ ଛଅଟି ଏ-୩୨୧ ବିମାନକୁ ଗ୍ରହଣ କରିବା ପାଇଁ ଏଆଇ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ୍ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହି ବିମାନଗୁଡ଼ିକ ପୂର୍ବରୁ ବାଣିଜ୍ୟିକ ଉଡ଼ାଣ ପାଇଁ ବ୍ୟବହୃତ ହେଉଥିଲା କିନ୍ତୁ ଏବେ ଏହାକୁ ଅତ୍ୟାଧୁନିକ ଏୟାରବୋର୍ନ ପ୍ରାରମ୍ଭିକ ଚେତାବନୀ ଏବଂ ନିୟନ୍ତ୍ରଣ ପ୍ଲାଟଫର୍ମରେ ରୂପାନ୍ତରିତ କରାଯିବ । ଆଦାନୀ ପ୍ରତିରକ୍ଷା ସିଷ୍ଟମ୍ସ ଆଣ୍ଡ୍ ଟେକ୍ନୋଲୋଜିସ୍ ଲିମିଟେଡ୍କୁ ଏୟାରବର୍ନ ପ୍ରାରମ୍ଭିକ ଚେତାବନୀ ଏବଂ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ମିଶନ ସିଷ୍ଟମ୍ ପାଇଁ ବିକାଶ ଏବଂ ଉତ୍ପାଦନ ଅଂଶୀଦାର ଭାବରେ ମନୋନୀତ କରାଯାଇଛି। କମ୍ପାନୀ ଡିଆରଡିଓ ସହିତ ମିଳିତ ଭାବରେ ଅତ୍ୟାଧୁନିକ ସିଷ୍ଟମ ବିକଶିତ କରିବ ଯାହା ବିମାନକୁ ଏକ ଫ୍ଲାଇଙ୍ଗ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟରରେ ପରିଣତ କରିବ। ପ୍ରତିରକ୍ଷା ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଏହି ୨ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଇଡବ୍ଲୁ ଆଣ୍ଡ ସି ବିମାନକୁ ବାୟୁସେନାର ‘ଆଖି ଏବଂ କାନ’ ଭାବରେ ବିବେଚନା କରାଯାଏ। ଏହା ବାୟୁ, ସମୁଦ୍ର ଏବଂ ସ୍ଥଳ ଭାଗର କାର୍ଯ୍ୟକଳାପ ଉପରେ ନଜର ରଖିପାରେ। ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ କମାଣ୍ଡ ମୁଖ୍ୟାଳୟକୁ ସଠିକ ସମୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଏ। ଭାରତୀୟ ବାୟୁସେନା ପାଇଁ “ତୃତୀୟ ଆଖି” ଭାବରେ କାର୍ଯ୍ୟ କରିବ ।
