ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ,ଜୁନ୍ ୨୦୨୫ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ । କିଛି ଭାରତୀୟ ବ୍ୟଞ୍ଜନ ବି ସାଙ୍ଗରେ ନେଇଥିଲେ । କିନ୍ତୁ ବୈଜ୍ଞାନିକ ଯାଞ୍ଚରେ ମାତ୍ର ୩ଟି ବ୍ୟଞ୍ଜନକୁ ମିଳି ପାରିଥିଲା ମଞ୍ଜୁରି । ଏକ ପଡକାଷ୍ଟରେ ଆଲୋଚନା ସମୟରେ ଶୁଭାଂଶୁ କହିଛନ୍ତି, ଡିଆରଡିଓର ଲାବୋରେଟୋରୀ ଡିଫେନ୍ସ ଫୁଡ୍ ରିସର୍ଚ୍ଚ ଲାବୋରେଟୋରୀ ମହାକାଶ ଯୋଗ୍ୟତା ପାଇଁ ବ୍ୟାପକ ଭାରତୀୟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲା । ତେବେ, ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ପରେ କେବଳ ଗାଜର ହାଲୁଆ, ମୁଗ ଡାଲି ହାଲୁଆ ଓ ଆମ୍ବରସ ମହାକାଶ ଯାତ୍ରା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଭାରତର ପରବର୍ତ୍ତୀ ଗଗନଯାନ ମିଶନ ପାଇଁ ଡିଏଫ୍ଆର୍ଏଲ୍ ମହାକାଶ ଖାଦ୍ୟ ପ୍ରସ୍ତୁତି କରୁଛି । ଶୁଭାଂଶୁ କହିଛନ୍ତି, ତାଙ୍କ ମହାକାଶ ଯାତ୍ରା ପୂର୍ବରୁ ଖେଚୁଡ଼ି, ପଲାଉ, ପରିବା ଓ ଅନେକ ଅନ୍ୟ ଭାରତୀୟ ବ୍ୟଞ୍ଜନର ପରୀକ୍ଷଣ ହୋଇଥିଲା । ଖାଦ୍ୟ ପ୍ରସ୍ତୁତି ଅପେକ୍ଷା ମହାକାଶ ପାଇଁ ଅନୁମତି ପ୍ରାପ୍ତ କରିବା ଅତ୍ୟନ୍ତ ଜଟିଳ ଥିଲା । ଏଗୁଡ଼ିକୁ ମହାକାଶ ଯାତ୍ରା ନିମନ୍ତେ ଅନୁମତି ନ ମିଳିବାର ଅନେକ କାରଣ ଥିଲା । ଏଗୁଡ଼ିକର ପରୀକ୍ଷା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ସମୟ ନ ଥିଲା । ତେଣୁ କେବଳ ୩ଟି ଖାଦ୍ୟ ସମସ୍ତ ଆବଶ୍ୟକ ସର୍ତ୍ତ ପୂରଣ କରିପାରିଥିଲା । ମହାକାଶକୁ ଯାଉଥିବା ଖାଦ୍ୟ ବ୍ୟାପକ ପରୀକ୍ଷଣ ମଧ୍ୟଦେଇ ଗତିକରେ । ସୁରକ୍ଷା ମାନକ ପୂରଣ କରୁଥିବା, ପୋଷକ ତତ୍ତ୍ୱ ବଜାୟ ରଖୁଥିବା ଓ ବିନା ଫ୍ରିଜ୍ ରେ ମାସ ମାସ ଧରି ରହିପାରୁଥିବା ଖାଦ୍ୟପଦାର୍ଥକୁ ଅଗ୍ରାଧିକାର ମିଳେ । ଏହା ସୂକ୍ଷ୍ମମାଧ୍ୟାକର୍ଷଣରେ ସୁରକ୍ଷିତ ରହିବା, କମ୍ପନକୁ ସହ୍ୟ କରିବା ସହିତ ଆବଶ୍ୟକଠୁ ଅଧିକ ଆର୍ଦ୍ର ନ ହେଉଥିବା ଆବଶ୍ୟକ । ଯଦିଓ ମହାକାଶ କେନ୍ଦ୍ରରେ ରହଣି ସମୟରେ ଶୁଭାଂଶୁ ଏହି ୩ ପ୍ରମାଣିତ ଭାରତୀୟ ବ୍ୟଞ୍ଜନକୁ ଖାଇପାରିନଥିଲେ, ତାଙ୍କ ସାଥୀ ମହାକାଶଚାରୀମାନେ ଏହାର ମଜା ନେଇଥିଲେ । ମହାକାଶରେ ଭାରତୀୟ ବ୍ୟଞ୍ଜନକୁ ବାଣ୍ଟିବାର ଏହା ଏକ ସୁନ୍ଦର ମାର୍ଗ ଥିଲା ବୋଲି ଶୁଭାଂଶୁ କହିଛନ୍ତି ।