ସମ୍ବଲପୁର(ସତ୍ୟପାଠ ବ୍ୟୁରୋ): ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର। ସବୁଜିମାପୂର୍ଣ୍ଣ ପାହାଡ଼ ଆକାଶକୁ ଛୁଇଁଲା ଭଳି ଦଣ୍ଡାୟମାନ। ଯୁଗ ଯୁଗ ଧରି ସବୁଜିମାରେ ଭୂରପୂର ହୋଇ ରହିବା ସହ ଖଣିଜ ସମ୍ପଦର ଭଣ୍ଡାରରେ ପରିପୂର୍ଣ୍ଣ ହୋଇ ରହିଛି। ଏହି ଗନ୍ଧମାର୍ଦ୍ଦନରୁ ୨୨ଟି ଚିରସ୍ରୋତା ଓ ୫୪ଟି ଋତୁକାଳୀନ ଝରଣାର ଉତ୍ପତ୍ତି ହେବା ସହ ଅଙ୍ଗ ଓ ସୁକତେଲ ଭଳି ନଦୀର ଉତ୍ସ ଏହି ପର୍ବତମାଳାରେ ରହିଛି। ଫଳରେ ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ଜଳ ସୁରକ୍ଷାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଖାଲି ସେତିକି ନୁହେଁ, ଗନ୍ଧମାର୍ଦ୍ଦନ କେବଳ ଖଣିଜ ସମ୍ପଦର ଭଣ୍ଡାର ନୁହେଁ; ଏହା ଶତାଧିକ ଔଷଧୀୟ ଉଦ୍ଭିଦ, ଅଣକାଠ ବନଜାତ ଦ୍ରବ୍ୟ, ପାରମ୍ପରିକ କୃଷି ଏବଂ ଆଦିବାସୀ ଜୀବନଶୈଳୀର ଏକ ଜୀବନ୍ତ କେନ୍ଦ୍ର। ମହୁଲ, ମହୁ, ବାଉଁଶ, ଚାର, କେନ୍ଦୁପତ୍ର, ବନଔଷଧି ସମେତ ବିଭିନ୍ନ ବନଜାତ ଦ୍ରବ୍ୟ ଉପରେ ହଜାର ହଜାର ପରିବାରର ଜୀବିକା ନିର୍ଭର କରୁଛି। ତେଣୁ ଆଦିମ ଅଧିବାସୀମାନେ ନିର୍ବିକାର ଭାବେ ପ୍ରକୃତିକୁ ଜାବୁଡ଼ି ଧରିଛନ୍ତି। ସେମାନେ ଭଲ ଭାବେ ବୁଝିଛନ୍ତି ଯେ, ଏ ପାହାଡ଼, ଝରଣା ଓ ବୃକ୍ଷଲତା ଲୋପ ପାଇଗଲେ ଜୀବନ ଜଗତର ଆଉ ସତ୍ତା ରହିବ ନାହିଁ। ଖାସ୍‌ େସଇଥି ପାଇଁ କେଉଁ ଅନାଦି କାଳରୁ ଅାଦିବାସୀମାନେ ଜଗି ଆସୁଛନ୍ତି। ହେଲେ ବର୍ତ୍ତମାନ ଗନ୍ଧମାର୍ଦ୍ଦନ ପାହାଡ ସୁରକ୍ଷାକୁ େନଇ ଚିନ୍ତାରେ ପରିବେଶବିତ୍‌। ଓଡ଼ିଶାରେ ପ୍ରସ୍ତାବିତ ବୃହତ୍ ଗ୍ରୀନଫିଲ୍ଡ ଆଲୁମିନିୟମ୍ ପ୍ରକଳ୍ପ ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପର୍ବତମାଳାରେ ପୁଣି ଥରେ ବକ୍ସାଇଟ୍ ଖଣି ଖନନ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ପରିବେଶବିତ୍, ଗବେଷକ ଏବଂ ସ୍ଥାନୀୟ ଅଧିବାସୀମାନେ ଚିନ୍ତାରେ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ୨୦୨୩ ମସିହାରେ ଓଡ଼ିଶା ସରକାର ଗନ୍ଧମାର୍ଦ୍ଦନର ପ୍ରାୟ ୧୯ ହଜାର ହେକ୍ଟର ଅଞ୍ଚଳକୁ ଜୈବ ବିବିଧତା ଐତିହ୍ୟ କ୍ଷେତ୍ର ଭାବେ ଘୋଷଣା କରିଥିଲେ। ପରିବେଶବିତ୍‌ଙ୍କ ମତରେ ଏହି ସ୍ୱୀକୃତି ଗନ୍ଧମାର୍ଦ୍ଦନର ଜୈବ ବିବିଧତା, ଔଷଧୀୟ ଉଦ୍ଭିଦ, ବନ୍ୟଜନ୍ତୁ ଏବଂ ଜଳସମ୍ପଦର ଗୁରୁତ୍ୱକୁ ସ୍ପଷ୍ଟ କରେ। ଏହାଛଡ଼ା ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଶହେରୁ ଅଧିକ ଦେଶୀ ଧାନ କିସମ, ବିଭିନ୍ନ ପ୍ରକାର କନ୍ଦମୂଳ, ବନ୍ୟ ଛତୁ ଓ ଶାଗର ସଂରକ୍ଷଣ ହେଉଥିବାରୁ ଏହାକୁ ପ୍ରାକୃତିକ ଖାଦ୍ୟ ସୁରକ୍ଷାର ଏକ ଅନନ୍ୟ କେନ୍ଦ୍ର ବୋଲି ମଧ୍ୟ କୁହାଯାଉଛି। ଭାରତୀୟ ଉଦ୍ଭିଦ ସର୍ବେକ୍ଷଣ ଅନୁସାରେ ଏଠାରେ ଶତାଧିକ ଔଷଧୀୟ ଉଦ୍ଭିଦ ରହିଥିବା ବେଳେ ସ୍ଥାନୀୟ ବୈଦ୍ୟମାନେ ଏହାର ସଂଖ୍ୟା ଆହୁରି ଅଧିକ ବୋଲି କହୁଛନ୍ତି।ଅନ୍ୟପକ୍ଷରେ ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟି ପାଇଁ ଆଲୁମିନିୟମ୍ ଶିଳ୍ପର ଗୁରୁତ୍ୱକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ। ତେଣୁ ଶିଳ୍ପ ବିକାଶ ଓ ପ୍ରାକୃତିକ ଐତିହ୍ୟର ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ନୀତିଗତ ନିଷ୍ପତ୍ତି ନେବା ସମୟର ଆବଶ୍ୟକତା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ସ୍ଥାନୀୟ ଅଧିବାସୀମାନଙ୍କ ମତରେ, ଗନ୍ଧମାର୍ଦ୍ଦନର ପ୍ରକୃତ ସମ୍ପଦ କେବଳ ମାଟି ତଳର ବକ୍ସାଇଟ୍ ନୁହେଁ; ବରଂ ମାଟି ଉପରର ଜଙ୍ଗଲ, ଜଳସ୍ରୋତ, ଜୈବ ବିବିଧତା, ପାରମ୍ପରିକ ଜ୍ଞାନ, ଆଦିବାସୀ ସଂସ୍କୃତି ଓ ଲକ୍ଷାଧିକ ଲୋକଙ୍କ ଜୀବିକା। ତେଣୁ ଯେକୌଣସି ଉନ୍ନୟନମୂଳକ ପଦକ୍ଷେପ ପୂର୍ବରୁ ବ୍ୟାପକ ପରିବେଶ ପ୍ରଭାବ ଆକଳନ, ସ୍ଥାନୀୟ ଲୋକଙ୍କ ସହ ପରାମର୍ଶ ଏବଂ ଆଇନଗତ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।