ମଧ୍ୟପ୍ରଦେଶରେ କୋହଳ ହେଲା କରୋନା କଟକଣା, ସ୍କୁଲ-କଲେଜ ସହ ସମସ୍ତ କାର୍ଯ୍ୟକ୍ରମକୁ ଅନୁମତି

ଦେଶରେ ଏବେ ତଳ ମୁହାଁ ରହିଛି କରୋନା ସଂକ୍ରମଣ । ଏହାରି ମଧ୍ୟରେ ମଧ୍ୟପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କରୋନା କଟକଣା କୋହଳ କରିବା ସହ ସ୍କୁଲ କଲେଜ ଓ ହଷ୍ଟେଲ ପୂର୍ଣ୍ଣ କ୍ଷମତା ସହିତ ଖୋଲିବ। କିନ୍ତୁ ସେଠାରେ ରାତ୍ରିକାଳୀନ କର୍ଫ୍ୟୁ ପୂର୍ବଭଳି ଜାରି ରହିବ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ରାଜ୍ୟରେ ସମସ୍ତ ସାମାଜିକ, ବ୍ୟବସାୟିକ, ସାଂସ୍କୃତିକ, ରାଜନୈତିକ, ଧାର୍ମିକ, ମନୋରଞ୍ଜନ, କ୍ରୀଡ଼ା ତଥା ମେଳାର ଆୟୋଜନ ପୂର୍ଣ୍ଣ କ୍ଷମତା ସହିତ କରାଯାଇ ପାରିବ।

ଏହା ସହ ସମସ୍ତ ସ୍କୁଲ, କଲେଜ ଓ ଛାତ୍ରାବାସ ମଧ୍ୟ ସମ୍ପୂର୍ଣ୍ଣ କ୍ଷମତା ସହିତ ଚାଲିପାରିବ। ଅନ୍ତିମ ସଂସ୍କାରରେ ଯୋଗ ଦେବାପାଇଁ ସଂଖ୍ୟାରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ । ଏହି ସମ୍ବନ୍ଧରେ ରାଜ୍ୟ ଗୃହ ବିଭାଗ ତରଫରୁ ଆଦେଶ ଜାରି କରାଯାଇଛି । ସୂଚନାଥାଉକି, ବିବାହ ଉତ୍ସବରେ ଯୋଗ ଦେବାପାଇଁ ସରକାର ପ୍ରଥମରୁ କଟକଣା ଉଠାଇ ଦେଇଥିଲେ ।

ତେବେ ପୂର୍ବଭଳି ରାଜ୍ୟରେ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସେହିପରି କୋଭିଡ ଅନୁରୂପ ବ୍ୟବହାର ଯେପରି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ।

Related Posts