ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ନଦୀର ଅସ୍ତିତ୍ୱ ଏବଂ ଏହାର ପ୍ରାକୃତିକ ପ୍ରବାହକୁ ବଜାୟ ରଖିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବିହାରର ରାଜଧାନୀ ପାଟନାସ୍ଥିତ ଗଙ୍ଗା ନଦୀ କୂଳ ଏବଂ ଉତ୍ତର ପ୍ରଦେଶର ପବିତ୍ର ଧାମ ବୃନ୍ଦାବନରେ ଯମୁନା ନଦୀ ମଧ୍ୟରେ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ନେଇ କୋର୍ଟ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶ ଏବଂ ନଦୀର ପରିସଂସ୍ଥା ସହ କୌଣସି ପ୍ରକାର ଅପ୍ରିତିକର କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ପାଟନାର ଅଶୋକ କୁମାର ସିହ୍ନାଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରି ଜଷ୍ଟିସ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ କେ.ଭି. ବିଶ୍ୱନାଥନଙ୍କ ପୀଠ ପାଟନାରେ ଗଙ୍ଗା ନଦୀ କୂଳରେ ଥିବା ସମସ୍ତ ବେଆଇନ ଜବରଦଖଲକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟା ପାଇଁ ରାଜ୍ୟ ସରକାରଙ୍କୁ ୨୩ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଅନ୍ୟ କୌଣସି ଅଦାଲତର ଆଦେଶ ଏହି ଉଚ୍ଛେଦ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ସେହିପରି ବୃନ୍ଦାବନରେ ଯମୁନା ନଦୀର ମୁଖ୍ୟ ଧାରା ମଧ୍ୟରେ ଚାଲିଥିବା ବୃହତ ନିର୍ମାଣ କାର୍ଯ୍ୟକୁ ନେଇ କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏହି ନିର୍ମାଣ କାର୍ଯ୍ୟ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେବା ସହ ଉତ୍ତର ପ୍ରଦେଶ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି । କେବଳ ବିହାର ବା ଉତ୍ତର ପ୍ରଦେଶ ନୁହେଁ, ସୁପ୍ରିମକୋର୍ଟ ଏହି ମାମଲାରେ ହିମାଚଳ ପ୍ରଦେଶ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ନଦୀଗୁଡ଼ିକର ଜବରଦଖଲ, ବନ୍ୟାଞ୍ଚଳର ସୀମା ନିର୍ଦ୍ଧାରଣ ଏବଂ ଅବୈଧ ନିର୍ମାଣ ହଟାଇବା ପାଇଁ କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଯଦି ସଠିକ୍ ସମୟରେ ରିପୋର୍ଟ ପ୍ରଦାନ କରାନଯାଏ, ତେବେ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ପଡ଼ିପାରେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି । ନଦୀଗୁଡ଼ିକର ପରିବେଶ ପ୍ରବାହ ପ୍ରଭାବିତ ହେଲେ ଭବିଷ୍ୟତରେ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଆସିବାର ସମ୍ଭାବନା ରହିଛି। ତେଣୁ ବିକାଶ ନାମରେ ନଦୀର ସ୍ଥିତି ସହ ବୁଝାମଣା କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶରୁ ସ୍ପଷ୍ଟ ହୋଇଛି ।
