ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ନିର୍ମାଣ ହେବ ପ୍ରଥମ ବୁଲେଟ୍ ରେଳ ଷ୍ଟେସନ: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା

ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ନିର୍ମାଣ ହେବ ପ୍ରଥମ ବୁଲେଟ୍ ରେଳ ଷ୍ଟେସନ । କେନ୍ଦ୍ରରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ଜର୍‌ଦୋଶ ଏକ ଡିଜିଟାଲ ଫଟୋ ଟ୍ବିଟ୍‌ କରି ଏନେଇ ସୂଚନା ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୪ ମସିହା ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ ।

ଜାତୀୟ ହାଇସ୍ପିଡ୍ ରେଳ ନିଗମ ଲିମିଟେଡ୍ (NHSRCL) ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ବ ନେଇଛି । ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ମାର୍ଗରେ ସମୁଦାୟ ୧୨ଟି ଷ୍ଟେସନ ରହିବ । ୫୦୮.୧୭ କିଲୋମିଟର ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ମଧ୍ୟରୁ ୧୫୫.୭୬ କିଲୋମିଟର ମହାରାଷ୍ଟ୍ରରେ, ଗୁଜୁରାଟରେ ୩୮୪.୦୪ କିଲୋମିଟର ଏବଂ ଦାଦ୍ରା ଓ ନଗର ହାବେଳିରେ ୪.୩ କିଲୋମିଟର ରହିଛି । ସୁରଟ ବ୍ୟତୀତ ଭାପି, ବିଲିମୋରା ଏବଂ ଭରୁଚ ଠାରେ ମଧ୍ୟ ବୁଲେଟ ଟ୍ରେନ୍‌ ଷ୍ଟେସନ ନିର୍ମାଣ ହେବ ।

ଆଗାମୀ ୨୦୨୬ ମସିହାରେ ସୁରଟ ଏବଂ ବିଲିମୋରା ମଧ୍ୟରେ ୫୦କିଲୋମିଟର ଦୂରତାରେ ପ୍ରଥମ ବୁଲେଟ ଟ୍ରେନର ଟ୍ରାଏଲ କରାଯିବା ନେଇ ଗତ ବର୍ଷ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ । ସୁରଟ ଷ୍ଟେସନ ପାଇଁ ନିର୍ମାଣ କାର୍ଯ୍ୟ ଗତ ସପ୍ତାହରୁ ଆରମ୍ଭ ହୋଇଛି ଏବଂ ୨୦୨୪ ଡିସେମ୍ବର ସୁଦ୍ଧା ୪ଟି ଯାକ ଷ୍ଟେସନ୍ ପ୍ରସ୍ତୁତ ହୋଇଯିବ ।

Related Posts