ରାଇରଙ୍ଗପୁର() ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବାବେଳେ ରାଷ୍ଟ୍ରପତି ପିଲାଙ୍କୁ ଚକୋଲେଟ ଦେଇଥିଲେ। ମହାମହିମ ମହୁଲଡ଼ିହା ଘରୁ ବାହାରି ପାହାଡ଼ପୁର ଅଭିମୁଖେ ଯାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ହେଲିକପ୍ଟର ଏମଆଇ-୧୭ ଯୋଗେ ମୟୁରଭଞ୍ଜ ଜିଲ୍ଲା ପାହାଡ଼ପୁରରେ ପହଞ୍ଚିଥିଲେ। ସେଠାରେ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମ ପରିଦର୍ଶନ କରିଥିଲେ। ଏହି ଅବସରରେ ଉଭୟ ନେତୃତ୍ୱ ପବିତ୍ର ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କରିଥିଲେ। ଗୋଷାଣୀ ପୀଠ ହେଉଛି ସାନ୍ତାଳୀ ଏବଂ ହୋଙ୍କ ପବିତ୍ର ପୀଠ ଜାହେରା। ଏହା ସହିତ ଦକ୍ଷତା ବିକାଶ କେନ୍ଦ୍ର ଯାଇ ସେଠାରେ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସମୃଦ୍ଧ ଆଦିବାସୀ ପରମ୍ପରା ନେଇ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଛନ୍ତି । ଏହାପରେ ପାହାଡପୁରର ସ୍କୁଲ ପରିଦର୍ଶନ କରି କୁନି ପିଲାଙ୍କ ସହ ଭାବ ବିନିମୟ କରିଥିଲେ। ଆଦିବାସୀ ସଂସ୍କୃତି, ପରମ୍ପରା ଓ ଗ୍ରାମୀଣ ଜୀବନଶୈଳୀକୁ ନିକଟରୁ ଦେଖି ବେଶ୍ ଆନନ୍ଦିତ ହୋଇଥିଲେ ମୋଦୀ। ରାଷ୍ଟ୍ରପତିଙ୍କ ସହ ମିଶି ଅଞ୍ଚଳର ସମୃଦ୍ଧି ଓ ଦେଶର ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ । ଏହି ସମୟରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଉଭୟ ନେତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଏହାପରେ ରାଇରଙ୍ଗପୁର ଦାଣ୍ଡବୋଷ ସ୍ଥିତ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟରେ ପହଞ୍ଚିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସେଠାରେ ଉଭୟେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହେବା ସହ ସେମାନଙ୍କ ଶିକ୍ଷା, ସ୍ୱପ୍ନ ଓ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ ମୋଦୀ । ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି, ଗାଁ ବୁଲା, ପୂଜାର୍ଚ୍ଚନା ଓ କୁନି ପିଲାଙ୍କ ସହ ମିଶିବାର ଦୃଶ୍ୟ ଆଜି ମୟୂରଭଞ୍ଜବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛି।