ରାଇରଙ୍ଗପୁର: ଓଡିଶାର ମୟୁରଭଞ୍ଜ ମାଟିରୁ ଲେଖା ହେଲା ନୂଆ ଇତିହାସ। ଗୋଟିଏ ମଞ୍ଚରେ ବସିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ତାଙ୍କ ଜନ୍ମମାଟିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାସହିତ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁର ପାହାଡ଼ପୁରରେ ଆୟୋଜିତ ଭବ୍ୟ ସମାରୋହରେ ଯୋଗ ଦେଇ ଏହି ଦୁଇ ରାଷ୍ଟ୍ରମୁଖ୍ୟ ମୋଟ ୪୭, ୬୦୦ କୋଟି ଟଙ୍କାରୁ ଅଧିକ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡା, ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହାପରେ ଅତିଥିମାନେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘‘ବିକାଶର ଧାରା, ଓଡ଼ିଶା ସାରା’’। ଏହି ଅବସରରେ ୪୭ହଜାର ୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।  ଶିଳାନ୍ୟାସ ହେବାକୁ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୬୦୦ ମେଗାୱାଟ୍ ଅପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଇବ୍ ତାପଜ ବିଦ୍ୟୁତ ଷ୍ଟେସନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପ୍ରକଳ୍ପର ୬୬୦ ମେଗାୱାଟ୍ ଲେଖାଏଁ ଦୁଇଟି ୟୁନିଟ୍ ଅନ୍ତର୍ଭୁକ୍ତ। ଝାରସୁଗୁଡା ଜିଲ୍ଲାର ଲଖନପୁରରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବୌଦ୍ଧଠାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୋଠା, ୨୪ଟି ଅଟଳ ବସ୍ ଷ୍ଟାଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୯ଟି ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ର ମଧ୍ୟ ଉଦଘାଟନ କରାଯାଇଛି। ଏହାସହ ଆହୁରି ଅନେକ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ମୋଟ ୮୧୧ କୋଟିର ରାସ୍ତା ଓ ସେତୁ ଲୋକାର୍ପିତ ହୋଇଥିବା ବେଳେ ୫୩୦ କୋଟିର ସୁଦୃଢ଼ ପରିବହନ ଓ ଗମନାଗମନ ବ୍ୟବସ୍ଥା କରାଯାଇଛି। ସେହିପରି ୩, ୨୧୮ କୋଟିର ଅନ୍ୟାନ୍ୟ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି। ସେହିପରି ୨୫ ହଜାର କୋଟିର ବିସିଜିସିଏଲ୍ କୋଲ୍ ଗ୍ୟାସଫିକେସନ୍ ପ୍ରକଳ୍ପ, ୧୭, ୧୧୭ କୋଟିର ଉନ୍ନତ ବିଦ୍ୟୁତ ଶକ୍ତି ଭିତ୍ତିଭୂମି ଏବଂ ୯୨୭ କୋଟିର ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେହିପରି ହିନ୍ଦୋଳ-ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ଓ ଯଖପୁରା-ଯାଜପୁର କେନ୍ଦୁଝର ରୋଡ୍-ବୈତରଣୀ ରୋଡ୍ ମଲ୍ଚି-ଟ୍ରାକିଂ,  କ୍ରୀଡା କମ୍ପ୍ଲେକ୍ସ ଏବଂ ରାଇରଙ୍ଗପୁରରେ ଜନଜାତି ଗବେଷଣା କେନ୍ଦ୍ର ଆଦି ପ୍ରକଳ୍ପ ଉଦ୍ଘାଟିତ ହୋଇଛି।