ରାଜ୍ୟରେ କମିବ ଶୀତର ପ୍ରକୋପ, ୨୧ରୁ ପୁଣି ବର୍ଷା

ରାଜ୍ୟର ଅଧିକାଂଶ ସ୍ଥାନରେ ଖସୁଛି ପାରଦ | ଫଳରେ ଶୀତ ବଢିଛି | କିନ୍ତୁ ଶୀତରୁ କିଛି ମାତ୍ରାରେ ମିଳିପାରେ ଅସ୍ବସ୍ତି | ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଉ ବିଶେଷ ତାପମାତ୍ରା କମିବାର ସମ୍ଭାବନା ନଥିବା ବେଳେ, ୨ ଦିନ ପରେ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ଓ ଶୀତ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଥିସହ ରାଜ୍ୟର ୬ଟି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର ।ରାଜ୍ୟରେ ଆଉ ଥଣ୍ଡା ବିଶେଷ ବଢ଼ିବ ନାହିଁ । ବର୍ତ୍ତମାନ ଯେଉଁ ସ୍ଥିତି ଜାରି ରହିଛି ଦୁଇ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ଅପରିବର୍ତ୍ତିତ ରହିବା ଏହାପରେ ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ହୋଇ ଶୀତର ପ୍ରକୋପ ହ୍ରାସ ପାଇବ । ୨ଦିନ ପରେ ବିଭିନ୍ନ ଅଞ୍ଚଳରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ।

ଫଳରେ ଶୀତର ପ୍ରକୋପ କମିଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଆଉ ଦୁଇଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିପରି ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହେବ ।

ଏଥିପାଇଁ ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ବାସ କହିଛନ୍ତି ଯେ ୨ ଦିନ ପରେ ତାପମାତ୍ରା ବଢ଼ିବ। ୨୧ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସ୍ଵଳ୍ପ ବର୍ଷା ହୋଇପାରେ। ସେହିପରି ୨୨ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆଶଙ୍କା କହିଛି |

ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ କେନ୍ଦୁଝରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିରେ ମଧ୍ୟ ୯ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଏଥିସହ ଝାରସୁଗୁଡ଼ାରେ ୯.୮ ଡିଗ୍ରି ଓ ଫଲବାଣୀଠାରେ ୧୦ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଆସନ୍ତା ୨ ଦିନ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ୨୦ ତାରିଖ ରାତିରୁ ଥଣ୍ଡା ଧୀରେ ଧୀରେ କମିବ।

Related Posts