ସପାରେ ଦେଶର ସବୁଠୁ ଉଚ୍ଚତମ ବ୍ୟକ୍ତି

ସମାଜବାଦୀ ପାର୍ଟି (ଏସପି)ରେ ଯୋଗ ଦେଲେ ଭାରତର ସବୁଠୁ ଉଚ୍ଚତମ ବ୍ୟକ୍ତି । ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ କ୍ୟାମ୍ପରେ ସାମିଲ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରତାପ ସିଂ । ଧର୍ମେନ୍ଦ୍ର ସିଂଙ୍କୁ ଏସପିର ରାଜ୍ୟ ସଭାପତି ନରେଶ ପଟେଲ ଦଳକୁ ସ୍ୱାଗତ କରିଥିଲେ । ସେ ଦଳରେ ସାମିଲ ହେବା ପରେ ତାଙ୍କର ଓ ଅଖିଳେଶ ଯାଦବଙ୍କ ସମେତ ଅନ୍ୟ କିଛି ନେତାଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ଦଳ ତାଙ୍କୁ ଟିକେଟ ଦବ ନା ସେ ଦଳରେ ଏକ ସଭ୍ୟ ଭାବେ ରହିବେ ସେନେଇ କିଛି ନିଶ୍ଚିନ୍ତ ହୋଇନାହିଁ ।

ସମାଜବାଦୀ ପାର୍ଟି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରତାପଗଡର ଧର୍ମେନ୍ଦ୍ର ପ୍ରତାପ ସିଂ ସମାଜବାଦୀ ପାର୍ଟିର ସଦସ୍ୟତା ଗ୍ରହଣ କରିଥିବା ବେଳେ ଦଳର ବିଚାରଧାରା ତଥା ଅଖିଳେଶ ଯାଦବଙ୍କ ନେତୃତ୍ୱରେ ବିଶ୍ୱାସ ରଖିଛନ୍ତି । 8 ଫୁଟ 2 ଇଞ୍ଚ ଉଚ୍ଚତା ବିଶିଷ୍ଟ 46 ବର୍ଷୀୟ ଧର୍ମେନ୍ଦ୍ର ପ୍ରତାପ ସିଂ ହେଉଛନ୍ତି ଦେଶର ସବୁଠାରୁ ଉଚ୍ଚତମ ବ୍ୟକ୍ତି । ସେହିପରି ଏସିଆର ସବୁଠାରୁ ଉଚ୍ଚତମ ପୁରୁଷ ଭାବେ ମଧ୍ୟ ସେ ଗିନିଜ-ବୁକ-ଅଫ ରେକର୍ଡରେ ମଧ୍ୟ ସ୍ଥାନ ପକ୍କା କରିସାରିଛନ୍ତି ।ଧର୍ମେନ୍ଦ୍ର ପ୍ରତାପ ସିଂ ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲ୍ଲାର ନରହରପୁର କାସିଆହି ଗାଁର ବାସିନ୍ଦା । ସେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଗତବର୍ଷ ଏପ୍ରିଲରେ ସେ ଉତ୍ତର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ସହଯୋଗୀଙ୍କ ପାଇଁ ପ୍ରଚାର କରି ସେତେବେଳେ ଚର୍ଚ୍ଚାକୁ ଆସିଥିଲେ । ଏବେ ଉତ୍ତର ପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବା ବେଳେ ଏହି ଉଚ୍ଚତମ ରାଜନେତା ସପା ପାଇଁ ପ୍ରଚାର କରୁଛନ୍ତି ନା ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related Posts