ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ) : ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ସହ ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କରି ନଗର ଉନ୍ନୟନ ବିଭାଗ ନୂଆ ବ୍ୟବସ୍ଥା ଲାଗୁ କରିଛି। ନୂଆ ନିୟମ ଅନୁଯାୟୀ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମ କମିଶନରଙ୍କ ସମକକ୍ଷ କରାଯାଇଛି। ଫଳରେ ସହରାଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ନିଷ୍ପତ୍ତି ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଆହୁରି ଦ୍ରୁତ ହେବ । ମହାନଗର ନିଗମଗୁଡ଼ିକରେ କାର୍ଯ୍ୟ ବିଲ୍, କ୍ରୟ ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ମଞ୍ଜୁରୀ ପାଇଁ କମିଶନରଙ୍କ ଆର୍ଥିକ ସୀମାକୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ଭୁବନେଶ୍ୱରରେ ୫୦ ଲକ୍ଷ ଓ ଅନ୍ୟ ମହାନଗର ନିଗମରେ ମାତ୍ର ୧୫ ଲକ୍ଷ ଟଙ୍କା ଥିଲା । ସେହିପରି ଦରମା ଓ ପେନ୍ସନ୍ ବିଲ୍ ପ୍ରଦାନ ପାଇଁ କମିଶନରମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । କେବଳ ସେତିକି ନୁହେଁ, ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମାକୁ ୨ କୋଟିରୁ ବଢ଼ାଇ ୩ କୋଟି ଟଙ୍କା କରାଯାଇଛି । ଏହାଦ୍ୱାରା ବିକାଶମୂଳକ କାର୍ଯ୍ୟରେ ଅନାବଶ୍ୟକ ବିଳମ୍ବ ହ୍ରାସ ପାଇବ ଏବଂ ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ । ଅନ୍ୟପଟେ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକରେ ନିର୍ବାହୀ ଅଧିକାରୀଙ୍କ ବିଲ୍ ମଞ୍ଜୁରୀ କ୍ଷମତା ୧୦ ଲକ୍ଷରୁ ବୃଦ୍ଧି ପାଇ ୨୦ ଲକ୍ଷ ଟଙ୍କା ହୋଇଛି । ସେମାନଙ୍କୁ ମଧ୍ୟ ଦରମା ଓ ପେନ୍ସନ୍ ବିଲ୍ ପ୍ରଦାନର ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଏହା ସହ ପ୍ରଶାସନିକ ଅନୁମୋଦନ ସୀମା ମଧ୍ୟ ୧୦ ଲକ୍ଷରୁ ବଢ଼ି ୨୦ ଲକ୍ଷ ଟଙ୍କା କରାଯାଇଛି । ରାଜ୍ୟ ସରକାରଙ୍କ ଏହି ପ୍ରଶାସନିକ ସଂସ୍କାର ଫଳରେ ପୌରସଂସ୍ଥାଗୁଡ଼ିକ ଅଧିକ ଆର୍ଥିକ ସ୍ୱାୟତ୍ତତା ପାଇବେ। ସରକାରୀ ପ୍ରକ୍ରିୟାରେ ବିଳମ୍ବ କମିବ, ନାଗରିକ ଭିତ୍ତିଭୂମି ଓ ଜନକଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେବ ଏବଂ ଓଡ଼ିଶାର ସହରାଞ୍ଚଳ ବିକାଶକୁ ମିଳିବ ନୂଆ ଗତି ।
