ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): କଫ ସିରପ ଏବେ ଥଣ୍ଡା ଓ କାଶ ପାଇଁ ଯେତିକି ଖୋଜା ପଡ଼ୁନି ନିଶା ପାଇଁ ବେଶି ଖୋଜା ପଡ଼ୁଛି। ଚୋରା କଫ ସିରଫକୁ ମାଧ୍ୟମ କରି ନିଶା କାରବାର କରୁଛନ୍ତି ନିଶା ବେପାରୀ। ଏପରିକି କଫ ସିରପ ଦ୍ବାରା ଅନେକ ଶିଶୁ ଗୁରୁତର ଅସୁସ୍ଥ ହୋଇଥିବା ନଜିର ରହିଛି। ପ୍ରତ୍ୟହ ହଜାର ହଜାର ଚୋରା କଫ ସିରପ ବୋତଲ ଧରା ପଡ଼ୁଛି। ଏନେଇ ଏବେ କଡ଼ା ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଏଣିକି କଫ ସିରପ କେବଳ ଡାକ୍ତରଙ୍କ ପ୍ରେସକ୍ରିପସନରେ ହିଁ ମିଳିବ । ଥଣ୍ଡା, କାଶ ହେବା ମାତ୍ରେ କଫ ସିରପ ଖୋଜା ପଡ଼ୁଥିବାବେଳେ ଅଧିକାଂଶ ଲୋକ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ଦୋକାନରୁ ସହଜରେ ମିଳୁଥିବା କଫ୍ ସିରପ୍ କିଣି ଖାଇଥାନ୍ତି। କିନ୍ତୁ ଏବେ ଆଉ ସେଭଳି ଚଳିବ ନାହିଁ । କଫ ସିରପ କେବଳ ଡାକ୍ତରଙ୍କ ପ୍ରେସକ୍ରିପସନରେ ହିଁ ମିଳିବ । ଏଥିସହ ସମସ୍ତ ତରଳ ଔଷଧର ଗୁଣବତ୍ତା ଯାଞ୍ଚକୁ କଡାକଡି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ବିଷାକ୍ତ ସିରପରୁ ମୃତ୍ୟୁ, ନିଶା ପାଇଁ ଅପବ୍ୟବହାର ନେଇ ବଢୁଥିବା ଚିନ୍ତା ଭିତରେ ସରକାର ନେଇଛନ୍ତି ଏହି ବଡ ପଦକ୍ଷେପ। କେବଳ କଫ୍‌ ସିରପ୍‌ ନୁହେଁ, ସମସ୍ତ ପ୍ରକାର ତରଳ ଔଷଧର ଗୁଣବତ୍ତା ଯାଞ୍ଚକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ରୋଗୀଙ୍କୁ ବିକ୍ରି ପୂର୍ବରୁ ପ୍ରତ୍ୟେକ ବ୍ୟାଚ୍‌ର ସଠିକ୍ ପରୀକ୍ଷା କରିବାକୁ ଔଷଧ ନିର୍ମାତା କମ୍ପାନିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କଡା ନିୟମ ପଛରେ ରହିଛି କିଛି ଚିନ୍ତାଜନକ ଘଟଣା । ଗତ କିଛି ବର୍ଷ ଧରି ଭାରତ ସହ ବିଭିନ୍ନ ଦେଶରେ ବିଷାକ୍ତ କଫ ସିରପ ପିଇ ଶିଶୁମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଡାଇଥାଇଲିନ୍ ଗ୍ଲାଇକଲ୍ ଓ ଇଥାଇଲିନ୍ ଗ୍ଲାଇକଲ୍ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ଥିବା ସିରପ୍‌ ବୃକକ୍ ବିଫଳତା, ଗୁରୁତର ଶାରୀରିକ ଅସୁସ୍ଥତା ଏବଂ ମୃତ୍ୟୁର କାରଣ ହୋଇପାରେ ବୋଲି ତଦନ୍ତରେ ଜଣାପଡିଥିଲା । ଏଥିପାଇଁ ନିଜ ଇଚ୍ଛାମୁତାବକ ଔଷଧ କିଣି ଖାଇବା ଅନେକ ସମୟରେ ବିପଜ୍ଜନକ ହୋଇପାରେ ବୋଲି କହିଛନ୍ତି ଡାକ୍ତର ।  ଔଷଧ ବ୍ୟବସାୟୀ ସଂଘ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ବି ଅନଲାଇନରେ କଫ ସିରପ ବିକ୍ରି କରୁଥିବା କମ୍ପାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି । କଫ ସିରପ ଉପରେ କଡା ନିୟନ୍ତ୍ରଣ ଆଣି କେନ୍ଦ୍ର ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ସେବନ ହୋଇପାରେ ବିପଦଜନକ ।