ଏଭିଆନ(ଫ୍ରାନ୍ସ): ଜି-୭ ଶିଖର ସମ୍ମିଳନୀ-୨୦୨୬ ମହାମଞ୍ଚରେ ଏକାଠି ହୋଇଛନ୍ତି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ନେତା। ଫ୍ରାନ୍ସର ଏଭିଆନ-ଲେସ୍-ବାନ୍ସ ସହରରେ ଆୟୋଜିତ ବିକଶିତ ଅର୍ଥନୀତିର ଏହି ମହାମଞ୍ଚରେ ଚଳିତ ବର୍ଷ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଏବଂ ସବୁଜ ଶକ୍ତିର ବ୍ୟବହାର ଉପରେ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କିଭଳି ପରିବେଶ ସୁରକ୍ଷା କରାଯାଇପାରିବ, ସେଥିପାଇଁ ନେତାମାନେ ପ୍ରଥମ ବୈଠକରେ ସହମତି ପ୍ରକାଶ କରିଛନ୍ତି। ଅନ୍ୟପଟେ, ଡିଜିଟାଲ୍ ରୂପାନ୍ତରଣ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ର ସୁରକ୍ଷିତ କାର୍ଯ୍ୟ ପ୍ରଣାଳୀ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯିବ। ଓପନ-ଏଆଇ, ଗୁଗଲ୍ ଏବଂ ଆନ୍ଥ୍ରୋପିକ୍ ଭଳି ବଡ଼ ଟେକ୍ କମ୍ପାନୀଗୁଡ଼ିକ ସହ ମିଶି ଇଣ୍ଟରନେଟରେ ସାଇବର ସୁରକ୍ଷା ପାଇଁ ଏକ ନୂତନ ବିଶ୍ୱସ୍ତରୀୟ ନିୟମାବଳୀ ପ୍ରସ୍ତୁତ କରାଯାଉଛି। ଏହି ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୀର୍ଘ ୧୬ ମାସ ପରେ ସାକ୍ଷାତ ହୋଇଛି। ସମ୍ମିଳନୀର ଗ୍ରୁପ୍ ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏକାଠି ଆଗ ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ସମ୍ମିଳନୀରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବଂ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ସୁରକ୍ଷାକୁ ନେଇ ଭାରତ ନିଜର ଚିନ୍ତା ପ୍ରକଟ କରିଛି, ଯାହା ଉପରେ ଆମେରିକା ସହ ମିଳିତ ରଣନୀତି ପ୍ରସ୍ତୁତ କରାଯିବ। ଏହି ତିନି ଦିନିଆ ସମ୍ମିଳନୀରେ ବିଶ୍ୱ ଅର୍ଥନୀତିର ସ୍ଥିରତା ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି। କରୋନା ମହାମାରୀ ପରବର୍ତ୍ତୀ ସ୍ଥିତି ଏବଂ ଚାଲିଥିବା ବିଭିନ୍ନ ଅନ୍ତର୍ଜାତୀୟ ବିବାଦ ଯୋଗୁଁ ବିଶ୍ୱ ବାଣିଜ୍ୟରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ନେତାମାନେ ବାଣିଜ୍ୟିକ ସମ୍ପର୍କର ପୁନଃ ସମୀକ୍ଷା କରୁଛନ୍ତି। ସେହିପରି ଦୀର୍ଘ ଦିନ ଧରି ଚାଲିଥିବା ରୁଷ୍-ୟୁକ୍ରେନ ସଂଘର୍ଷର ସମାଧାନ ପାଇଁ କେତେକ ନିର୍ଣ୍ଣାୟକ ଘୋଷଣା ଏହି ମଞ୍ଚରୁ ହେବ ବୋଲି ଆଶା କରାଯାଉଛି । ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ମାନବିକ ସହାୟତା ଯୋଗାଇଦେବା ଏବଂ ରୁଷ୍ର ସ୍ୟାଡୋ ଫ୍ଲିଟ୍ (ତେଲ ପରିବହନ କରୁଥିବା ବେଆଇନ ଜାହାଜ) ଉପରେ କଟକଣା ଲଗାଇବାକୁ କାନାଡା ଓ ଅନ୍ୟ ସଦସ୍ୟ ଦେଶଗୁଡ଼ିକ ପ୍ରସ୍ତାବ ଦେଇଛନ୍ତି। ଭାରତ ଜି-୭ର ସ୍ଥାୟୀ ସଦସ୍ୟ ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମିଳନୀକୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ବିକଶିତ ଏବଂ ବିକାଶଶୀଳ ଦେଶଗୁଡ଼ିକ ମଧ୍ୟରେ ଏକ ସେତୁ ବା ମାଧ୍ୟମ ଭାବେ ଉପସ୍ଥାପନ କରିଛନ୍ତି। ସେ ‘ଗ୍ଲୋବାଲ ସାଉଥ୍’ର ସମସ୍ୟା ଓ ଅଧିକାରକୁ ବିଶ୍ୱ ଦରବାରରେ ଜୋର୍ଦାର ଭାବେ ଉଠାଇଛନ୍ତି। ଏହି ସମ୍ମିଳନୀ ଅବସରରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଏକ ବଡ଼ ଦ୍ୱିପାକ୍ଷିକ ଚୁକ୍ତି ସଂପନ୍ନ ହେବାକୁ ଯାଉଛି। ଏହା ଅଧୀନରେ ଭାରତରେ ଏକ ମିଳିତ ଏରୋନେଟିକ୍ସ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ପ୍ରତିଷ୍ଠା କରାଯିବ। ଏହାସହ ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ।
